ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଧାରାକୁ ନେଇ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦର ମହକୁମା ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁସୂଚିତ ଜାତି ଓ ଜନଜାତି ଧାରା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଯୋଗ ଦେଇ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ସଚେତନତା କରାଇଥିଲେ । ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ମାଗଣା ଆଇନସେବା କିପରି ଅନୁସୂଚିତ ଜାତି ଓ ଜନଜାତି ଜନସାଧାରଣ ପାଇବେ ସେ ବିଷୟରେ ଉପସ୍ଥିତ ଜନସାଧାରଣମାନଙ୍କୁ ସଚେତନତା କରାଇଥିଲେ ଏବଂ ପରିଶେଷରେ ଶ୍ରୀ ନାୟକ ଅନୁସୂଚିତ ଜାତି ଓ ଜନଜାତି ଜନସାଧାରଣଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଅଧିକାର ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଅନ୍ୟତମ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସି.ଏଚ୍. ସିମାଦ୍ରୀ, କାଶୀନଗର ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ସିମାଞ୍ଚଳ ମହାନ୍ତି ଉପସ୍ଥିତ ରହି ଅନୁସୂଚିତ ଜାତି ଓ ଜନଜାତି ଜନସାଧାରଣଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ବାବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମୋନଜ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶୁକାନ୍ତୀ ଶବର, ପଞ୍ଚାୟତ ସମିତି ସଦସ୍ୟ ଓ ଅଙ୍ଗବାଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ପରିଚାଳନା କରିଥିଲେ ।


