ଶହୀଦ ଦିବସ ପାଳନ ଅବସରରେ କଳାକାନୁନ ପ୍ରତ୍ୟାହାର ଓ ଚାଷୀନେତା ରାକେଶ ଟିକାୟତଙ୍କ ଉପରେ ଗୁରୁଦ୍ୱାର ସାମ୍ନାରେ ଆକ୍ରମଣ ପ୍ରତିବାଦରେ ଗଣଉପବାସ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଶହୀଦ ଦିବସ ପାଳନ ଅବସରରେ କଳାକାନୁନ ପ୍ରତ୍ୟାହାର ଓ ଚାଷୀନେତା ରାକେଶ ଟିକାୟତଙ୍କୁ ଗୁରୁଦ୍ୱାର ସାମ୍ନାରେ ଅସାମାଜିକ ତତ୍ତ୍ୱଙ୍କ ଆକ୍ରମଣ ପ୍ରତିବାଦରେ ଲୋୟର ପିଏମ୍ଜିରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଗଣଉପବାସ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ ଯେ, ଭଗତ ସିଂଙ୍କ ଦେଶ ପାଇଁ ବଳିଦାନ ଆଜି ପର୍ଯ୍ୟନ୍ତ ଯୁବକଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି । ସାରା ଦେଶରେ ଶୋଷଣମୁକ୍ତ ସମତା ଆଧାରିତ ସମାଜ ପାଇଁ ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ସେ ସ୍ୱପ୍ନକୁ ସ୍ୱାଧୀନ ଭାରତର ଶାସକମାନେ ଆଜି ପାଦରେ ଦଳି ଦେଇଛନ୍ତି । କୃଷିପ୍ରଧାନ ଦେଶରେ କୃଷକ ଠାରୁ ତାର ଜୀବିକା ଛଡ଼ାଇ ନେବା ପାଇଁ ଉଦ୍ୟମ ହେଉଛି । କରୋନା କାଳରେ ସଭା ସମିତି ବନ୍ଦର କଟକଣା କରି ସରକାର ଯେଉଁ ଭଳି ତରବରିଆ ଭାବରେ କଳା କୃଷି କାନୁନ ଆଣିଲେ ତାକୁ ବିରୋଧ କରି ଯେଉଁ ବେସାଲିସ ସଂଗ୍ରାମ ଚାଲିଛି ସେ ସଂଗ୍ରାମକୁ ଚଳାଇ ରଖିବାକୁ ପଡ଼ିବ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, ମହାନ ସଂଗ୍ରାମୀମାନଙ୍କ ବଳିଦାନ ଦିବସ ଓ ଜୟନ୍ତୀ ପାଳନର ସ୍ମରଣୀୟ ସଭାରେ ଯୁବକମାନେ ଦେଶପ୍ରେମ ଓ ତ୍ୟାଗର ଆଦର୍ଶରେ ଉଦ୍ବୁଦ୍ଧ ହୁଅନ୍ତୁ । ଶହିଦ ଭଗତ ସିଂଙ୍କ ଜୀବନୀରୁ ଯୁବକମାନେ ଶିଖିବା ଉଚିତ୍ ଯେ, ଅନ୍ୟମାନଙ୍କ ପାଇଁ, ସମାଜ ଓ ଦେଶ ପାଇଁ ଜୀବନ ଉତ୍ସର୍ଗ କଲେ ଜୀବନ ସାର୍ଥକ ହୁଏ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ଡଃ କୁଳମଣି, ଋଷିକୁଲ୍ୟା ରୟତ ମହାସଂଘର ସିମାଞ୍ଚଳ ନାହାକ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ଦୁର୍ଗାପ୍ରସାଦ ଦାସ, ଦେବୀ ପ୍ରସାଦ ମହାରଣା, ପୂର୍ବତନ ରେଭେନ୍ସା ସଭାପତି ତପନ ମିଶ୍ର, ଇଂ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ମଧୁମିତା ସାମଲ, ଦିନେଶ ଦାଶ, ଭରତ ଚନ୍ଦ୍ର ସ୍ୱାଇଁ, ମଦନ ସାହୁ, ନିରଞ୍ଜନ ପ୍ରଧାନ, ଅଶୋକ ଶାନ୍ତି, ଅଶୋକ ସ୍ୱାଇଁ, ଛାତ୍ରନେତା ଅମିତ ଜେନା ପ୍ରମୁଖ ଯୋଗ ଦେଇଥିଲେ ।


