ସିଦ୍ଧ ବାଙ୍କେଶ୍ଵରୀଙ୍କ ଦୋଳଯାତ୍ରା ବନ୍ଦ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଉଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବଡଡୁମ୍ବୁଳା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଁ ସିଦ୍ଧ ବାଙ୍କେଶ୍ଵରୀଙ୍କ ଚଳିତ ବର୍ଷ ବାର୍ଷିକ ଯାତ୍ରା ମହୋତ୍ସବ କୁ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବାତିଲ କରାଯାଇଛି। ବ୍ରହ୍ମପୁର ଉପ ଜିଲାପାଳ କିର୍ତ୍ତି ଭାସନ ଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ ଙ୍କ ଉପସ୍ଥିତିରେ ବଡ଼ ଡୁମ୍ବୁଳା ଗ୍ରାମର ମୁଖ୍ୟ ରାଜପଥ କୁ ଚତୁର୍ଦ୍ଦିଗ କୁ ସମ୍ପୂର୍ଣ୍ଣ ସିଲ୍ କରିଦେବା ସହ ମୁଖ୍ୟ ପ୍ରବେଶପଥ ରାସ୍ତାକୁ ବୁଧବାର ରାତି ପ୍ରାୟ ୮ ଟା ରେ ଖୋଳି ଦିଆଯାଇଥିବା ଜଣାପଡିଛି। କରୋନା ସଂକ୍ରମଣ ର ୨ ୟ ଲହର କୁ ରୋକିବା ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଏହିକି ଯେ, ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ କରୋ ନା କଟକଣା ଅନୁ ପାଳନ ପୂର୍ବକ ମା ଙ୍କ ଯାତ୍ରା ମହୋତ୍ସବ କୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ଗତ ରବିବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରସ୍ତୁତି ବୈଠକ ସ୍ଥାନୀୟ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ଶ୍ରୀ ମାଁ ସିଦ୍ଧ ବାଙ୍କେଶ୍ଵରୀ ଉନ୍ନୟନ ଓ ପରିଚାଳନା କମିଟି ଆନୁକୂଲ୍ୟରେ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ହରିସେବକ ପଣ୍ଡା ଏହି ବୈଠକ ରେ ସଭାପତିତ୍ବ କରିଥିବା ବେଳେ ଦିଗପହଣ୍ଡି ତହସିଲଦାର , ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ,ମନ୍ଦିର ପରିଚାଳନା କମିଟି ଉପ ସଭାପତି ସଞ୍ଜୀବ କୁମାର ରେଡ୍ଡୀ , ସମ୍ପାଦକ ଉପେନ୍ଦ୍ର ପ୍ରଧାନ , କୋଷାଧ୍ୟକ ସୁଦାମ ଦୋରା , ପଦ୍ମନାଭପୁର ସରପଞ୍ଚ କ୍ରିଷ୍ଣାରାଓ ସୁବୁଦ୍ଧି , ପୂର୍ବତନ ସମିତି ସଭ୍ୟ ରମେଶ ପାଢୀ ଙ୍କ ସମେତ ମନ୍ଦିର ସେବାୟତ ମାନେ ଉପସ୍ଥିତ ଥିଲେ । କରୋନା କଟକଣା ଅନୁପାଳନ ପୂର୍ବକ ଚଳିତ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ତିଥି ଶନିବାର ଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ତିଥି ସୋମବାର ଯାଏଁ ୩ ଦିନ ବ୍ୟାପୀ ମାଁଁ ସିଦ୍ଧ ବାଙ୍କେଶ୍ଵରୀଙ୍କ ଦୋଳ ଯାତ୍ରା ଅନୁଷ୍ଠିତ କରାଯିବା ନିମନ୍ତେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା। କରୋନା ବ୍ୟାପିବାର ଆଶଂକା ଯୋଗୁଁ ଶ୍ରଦ୍ଧାଳୁଙ୍କ ଗହଳ ଚହଳ କୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବାରଣ କରାଯିବା ସହ ଅସ୍ଥାୟୀ ଉଠା ଦୋକାନ କୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ବୈଠକ ରେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ର ପ୍ରଭାବ ଦେଖାଯାଇଥିବା ବେଳେ ଏହାକୁ ଅଧିକ ସଂକ୍ରମିତ ନ କରିବା ନେଇ ସରକାର ସମସ୍ତ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ସୂଚନା ପ୍ରଦାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ଅଧିକାରୀ ମାନେ ନିଜ ନିଜ ଅଞ୍ଚଳବାସୀଙ୍କୁ ସରକାରଙ୍କ କୋଭିଡ କଟକଣା ନିୟମ ମାନି ଚଳିବା ପାଇଁ ସଚେତନ କରୁଛନ୍ତି । ଏହି ଅବସରରେ ମାଁ ବାଙ୍କେଶ୍ଵରୀଙ୍କ ଯାତ୍ରା ସମୟରେ ପ୍ରବଳ ଜନସମାଗମ ହେବା ଆଶଙ୍କା ରହିଥିବା ରୁ ଯାତ୍ରା ପୀଠ କୁ ସଂଯୋଗ କରୁଥିବା ସମସ୍ତ ମୁଖ୍ୟରାସ୍ତା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ବିଚ୍ଛିନ୍ନ କରାଯାଇଥିବା ଜଣାପଡିଛି।


