ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ପରୀକ୍ଷା କଲା ବାୟୁସେନା
ନୂଆଦିଲ୍ଲୀ: ଅକ୍ଟୋବର ୨୧ ଏବଂ ୨୨ ତାରିଖ ଦିନ ନିୟମିତ ତାଲିମ ଅଭିଯାନର ଅଂଶସ୍ୱରୂପ ଭାରତୀୟ ବାୟୁସେନା ଭୂପୃଷ୍ଠରୁ ଭୂପୃଷ୍ଠକୁ ଗତି କରୁଥିବା ଦୁଇଟି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁସ୍ ମିସାଇଲ୍ ପରୀକ୍ଷା କରିଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଟ୍ରାକ୍ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ପରୀକ୍ଷା କରାଯାଇଛି । ୩୦୦ କିଲୋମିଟର ଦୂରରେ ଥିବା ନିର୍ଦ୍ଧାରିତ ମକ୍ ଟାର୍ଗେଟକୁ ଉଭୟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସିଧାସଳଖ ଭେଦ କରିଥିଲେ । ଭାରତୀୟ ବାୟୁସେନା କହିବା ଅନୁସାରେ, ମୋବାଇଲ୍ ପ୍ଲାଟଫର୍ମରୁ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳକୁ ଠିକ୍ ଭାବେ ଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାର ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେଇଛି ।
ଅଭିଯାନର ସମ୍ମୁଖ ଭାଗରେ ବାହାରୁଥିବା ସୁଖାଇ-୩୦ଏମକେଆଇର ଲଢୁଆ ବିମାନରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଲାଗି ସାରିଛି । ଏହାଛଡ଼ା ବ୍ରହ୍ମୋସ୍-ଏ କ୍ଷେପଣାସ୍ତ୍ର ବହନ କରିବା ଲାଗି ଆଗାମୀ ତିନି ବର୍ଷ ମଧ୍ୟରେ ୪୨ ସୁଖାଇ-୩୦ଏମକେଆଇ ବିମାନ ପ୍ରସ୍ତୁତ ହୋଇଯିବ । ୮-୮.୨ ମିଟର ଦୀର୍ଘ ବ୍ରହ୍ମୋସ ମିଳିତ ଭାବେ ଭାରତ ଓ ରୁଷ୍ ଦ୍ୱାରା ବିକଶିତ ହୋଇଛି ।