ରାଜସ୍ଥାନ ପୋଲିସ ଦ୍ୱାରା ଯୈାତୁକ ନିର୍ଯ୍ୟାତନା ମାମଲାରେ ଶାଶୁ ଗିରଫ ସ୍ୱାମୀ ଫେରାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏକ ଯୈାତୁକ ନିର୍ଯ୍ୟାତନା ମାମଲାରେ ଫେରାର ଥିବା ଶାଶୁକୁ ରାଜସ୍ଥାନ ପୋଲିସ ଗିରଫ କରିଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମର ରଜନୀ ନାୟକ ଓ ତାଙ୍କ ପୁଅ ଶରତ ନାୟକ ରାଜସ୍ଥାନର ଜୟପୁର ଠାରେ ରହି କାର୍ଯ୍ୟ କରୁଥିଲେ । ରାଜକନିକା ଥାନା ଅଂଚଳର ସ୍ୱର୍ଣ୍ଣଲତାଙ୍କୁ ସେଠାରେ ଶରତ ବିବାହ କରିଥିଲେ । କିନ୍ତୁ ବିବାହ ପରେ ରାଜସ୍ଥାନରେ ଅବସ୍ଥାନ ସମୟରେ ଅଧିକ ଯୈାତୁକ ଦାବିରେ ସ୍ୱର୍ଣ୍ଣଲତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ସ୍ୱର୍ଣ୍ଣଲତା ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଜୟପୁର ମହିଳା ଥାନାର କେଶ ନମ୍ବର ୪୨/୨୦୧୭ରେ ଆଇପିସିର ୪୯୮ଏ, ୪୦୬ ଦଫାରେ ମାମଲା ରୁଜୁ କରାଯାଇଥିଲା । ଜୟପୁର ମହିଳା ଥାନା ପକ୍ଷରୁ ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମରେ ଚଢାଉ କରାଯାଇ ଅଭିଯୁକ୍ତ ଶାଶୁକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର୍ ହୋଇଯାଇଥିଲା । ପୋଲିସ ଉଭୟଙ୍କୁ ସେଠାରେ ଗିରଫ କରି ଜାମିନ୍ ରେ ଛାଡିଥିଲା । କିନ୍ତୁ ୪ବର୍ଷ ହେବ ଅଭିଯୁକ୍ତ ଦୁଇଜଣ କୋର୍ଟରେ ଅନୁପସ୍ଥିତ ରହିବାରୁ କୋର୍ଟଙ୍କ ନିର୍ଦେଶ କ୍ରମେ ଜୟପୁର ମହିଳା ଥାନା ପୋଲିସ ଜାମିନ୍ ବିହିନ ୱାରେଣ୍ଟ ବଳରେ ଶାଶୁ ରଜନୀଙ୍କୁ ଗିରଫ କରି କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରାଇଥିବା ଦେଖିବାକୁ ମିଳିଛି ।


