ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

କେନ୍ଦ୍ରାପଡା, (ଚି‌ତ୍ତରଂଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ ପୂର୍ବକ କହିଥିଲେ ଯେ ଆଶାକର୍ମୀମାନେ ଜଣେ ଜଣେ ଛୋଟ ଡାକ୍ତର । ଗାଁ ଗହିଳିରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଦିଗରେ ଆଶାକର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି । ଆଗାମୀ ଦିନରେ ଆଶାକର୍ମୀମାନଙ୍କୁ ପୁରସ୍କୃତ କରାଯାଇ ପ୍ରୋତ୍ସାହିତ କରାଯିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ତୃଣମୂଳ ସ୍ତରରେ ଆଶାକର୍ମୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଥାନ୍ତି । ନିଜ ଜୀବନକୁ ଭୃକ୍ଷେପ ନକରି ସେବା ପ୍ରଦାନ କାର୍ଯ୍ୟ ସେମାନଙ୍କର ଅବିସ୍ମରଣୀୟ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନ କରିବାର ଭୂମିକା ନିର୍ବାହ କରିବା ସହ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାରେ ସେମାନେ ଦକ୍ଷତାର ସହ ଦାୟୀତ୍ୱ ଏବଂ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ଦ୍ୱିତୀୟ ପ୍ରବାହ କୋଭିଡ ଆସୁଥିବାରୁ ଜନସାଧାରଣଙ୍କୁ ଅଧିକ ସଚେତନ କରିବା ଦିଗରେ ଆଶାମାନଙ୍କର କର୍ତ୍ତବ୍ୟ ପରାୟଣତା ଓ ପ୍ରତିବଦ୍ଧତା ନିଶ୍ଚିତ ଭାବେ କୋଭିଡ ମୁକାବିଲାରେ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଜିଲ୍ଲାରେ ୧୪୫୫ଜଣ ଆଶାକର୍ମୀ ନିଯୁକ୍ତ ହୋଇଥିବା ବେଳେ ୧୪୨୮ଟି ଗାଁ କଲ୍ୟାଣ ସମିତି ଓ ୫୫ଟି ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଥିବା ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ ଯୋଗଦେଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଆଶାକର୍ମୀଙ୍କ ଭୂମିକା ଅବର୍ଣ୍ଣନୀୟ ବୋଲି କହିବା ସହ ଜନସାଧାରଣ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମ୍ପର୍କର ସେତୁ ପ୍ରତିଷ୍ଠାରେ ଆଶାମାନଙ୍କର ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ମିଶନର ପ୍ରତିନିଧି ବସନ୍ତ କୁମାର ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ପ୍ରକାଶ ବାନାର୍ଜୀ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଜନଗର ବ୍ଲକର ପ୍ରଥମ ଶ୍ରେଷ୍ଠ ଆଶାକର୍ମୀ ସୁଲୋଚନା ସ୍ୱାଇଁଙ୍କୁ ପୁରସ୍କାର ରୂପେ ୧୦ହଜାର ଟଙ୍କାର ଚେକ, ରାଜକନିକା ଓ ଆଳି ବ୍ଲକର ଦ୍ୱିତୀୟ ଶ୍ରେଷ୍ଠ ଆଶାକର୍ମୀ କାବେରୀ ବାରିକ ଓ ପ୍ରମିଳା ମଳିକଙ୍କୁ ୭ହଜାର ଟଙ୍କାର ଚେକ, ତୃତୀୟ ଶ୍ରେଷ୍ଠ ଆଶାକର୍ମୀ ରାଜକନିକା ବ୍ଲକର ମମତା ନାୟକଙ୍କୁ ୬ହଜାର ଟଙ୍କାର ଚେକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଜିଲ୍ଲାର ମାର୍ଶାଘାଇ ବ୍ଲକର ଆଖୁଆଦକ୍ଷିଣୀ ଗ୍ରାମପଂଚାୟତ, ଆଳି ବ୍ଲକର ଚଣ୍ଡିଆଗଡି ପଂଚାୟତ, ରାଜନଗର ବ୍ଲକର କୋଇଲିପୁର ପଂଚାୟତ, ଗରଦପୁର ବ୍ଲକର ବେଡାରୀ ପଂଚାୟତକୁ ୧୦ହଜାର ଟଙ୍କା ଲେଖାଁଏର ପୁରସ୍କାର ସ୍ୱରୁପ ଚେକ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଭାବେ ଆଳି ବ୍ଲକର ଚଣ୍ଡିଆଗଡି, ଗରଦପୁର ବ୍ଲକର ବିଚଣା, ଗୋତ୍ରିବିଲ,ମାର୍ଶାଘାଇ ବ୍ଲକର ଓଢଙ୍ଗ, ପାଇଲୋ ଓ ରାଜନଗର ବ୍ଲକର କୁରୁଂଟି ଏବଂ ଅହିରାଜପୁର ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଲେଖାଁଏ ଚେକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ମହିଳା ଆରୋଗ୍ୟ ସମିତି ଭାବେ କେନ୍ଦ୍ରାପଡା ପୈାରାଚଂଳର ବଣିଆମାଳ – ୧ ଓ ୨, ମହିପାଳ ୧ ଓ ୨, ମୁସଲିମବସ୍ତି, ମଧ୍ୟଖଣ୍ଡି, ସାରଙ୍ଗ, ତଳବାରଙ୍ଗ, ଇଛାପୁର, ମଧୁକରପୁର, ସୁନ୍ଦରାପାଳ, କଜଳା ୧ ଓ ୨, ବଡବାରଙ୍ଗ, ଦିଲାରପୁର, କାକଟ-୨, ମଢିଆଳ, କ୍ୟୁରେସିମହଲା, ଅଯୋଦ୍ଧାନଗର ସମିତିକୁ ୩ହଜାର ଟଙ୍କା ଲେଖାଁଏ ଚେକ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡା ବଳଦେବ ଆର୍ଟ ଆଣ୍ଡ ମେଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାଁ କଲ୍ୟାଣ ସମିତିର ସହକାରୀ ପରିଚାଳକ ଅମିତ କୁମାର ପଣ୍ଡା ଏବଂ ଆଶାର ସହକାରୀ ପରିଚାଳକ ଯଶସ୍ୱିିନୀ ସାହାଣି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ