ସୁରତରୁ ଗଞ୍ଜାମରେ ପହଂଚିଲେ ୫୦୦ ପ୍ରବାସୀ ବ୍ରହ୍ମପୁର, ରେଳ ଷ୍ଟେସନରେ କେବଳ ସ୍କ୍ରିନିଂ କରି ଛାଡ଼ିେଦେଲେ

ଗଞ୍ଜାମ, (ଅନିଲ କୁମାର): ଗୁଜୁରାଟର ସୁରତରୁ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି ୫୦୦ ପ୍ରବାସୀ । ଗଞ୍ଜାମ ଜିଲ୍ଲାରେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନାର ଦ୍ୱିତୀୟ ପ୍ରବାହ ଯୋଗୁଁ ମୁମ୍ବାଇ ଓ ସୁରତର ସ୍ଥିତି ବିଗିଡ଼ିଛି । ସେଠାରୁ ପ୍ରବାସୀ ଗଞ୍ଜାମକୁ ଫେରିଲେ, ସଂକ୍ରମଣର ସ୍ଥିତି ପୁଣି ଥରେ ଗମ୍ଭୀର ହୋଇପାରେ ବୋଲି ଯାହା ଆଶଙ୍କା କରାଯାଉଥିଲା । ତାହା ଏବେ ସତ ହେବାକୁ ଯାଉଛି । ମହାରାଷ୍ଟ୍ର ଓ ଗୁଜୁରାଟରୁ ପ୍ରତ୍ୟେହ ଟ୍ରେନ୍ ଆସୁଥିବା ବେଳେ କିଛି କିଛି ପ୍ରବାସୀ ଜିଲ୍ଲାକୁ ଫେରୁଥିଲେ । କିନ୍ତୁ, ଗତକାଲି ସୁରତରୁ ଦୁଇଟି ଟ୍ରେନ୍ ଆସିଥିବା ବେଳେ ବ୍ରହ୍ମପୁର ଷ୍ଟେସନରେ ଶହ ଶହ ସଂଖ୍ୟାରେ ପ୍ରବାସୀ ଓହ୍ଲାଇଥିଲେ । ସେଥିରେ ୫୦୦ ରୁ ଅଧିକ ପ୍ରବାସୀ ଆସିଥିବା ଜଣାପଡିଛି । ସବୁଠୁ ଚିନ୍ତାର ବିଷୟ ହେଉଛି, ଟ୍ରେନ୍ ରେ ଆସୁଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ୍ ପାଇଁ କୌଣସି ପ୍ରଶାସନିକ କଳ କିମ୍ବା ଡ଼ାକ୍ତରୀ ଟିମ୍ ସେଠାରେ ନିୟୋଜିତ ନଥିଲେ । କେବଳ ଥର୍ମାଲ୍ ସ୍କ୍ରିନିଂ କରି ଏହି ଯାତ୍ରୀ ମାନଙ୍କୁ ଛାଡି ଦିଆଯାଇଥିଲା । କରୋନା ଲକ୍ଷଣ ଅନୁଧ୍ୟାନ କରିବାକୁ କେହି ନଥିଲେ । କିନ୍ତୁ, ପ୍ରଶାସନର ୭ ଦିନିଆ ଗୃହ ସଙ୍ଗରୋଧ କଟକଣା ବିଷୟରେ ସେମାନଙ୍କୁ ସଚେତନ କରିବାକୁ କେହି ସ୍ୱେଚ୍ଛାସେବୀ ମଧ୍ୟ ନଥିଲେ । ଫଳରେ ପ୍ରବାସୀ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଓ ଗୁଜୁରାଟ ଏବେ କରୋନା ହଟସ୍ପଟ ପାଲଟିଛି । ଉଭୟ ରାଜ୍ୟରେ ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ବସବାସ କରୁଛନ୍ତି । ବିଶେଷ କରି ଗୁଜୁରାଟର ସୁରତରେ ଗଞ୍ଜାମର ୩ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି । ସୁରତରୁ ପ୍ରବାସୀ ମାନେ ଫେରିବା ପରେ ଗତ ବର୍ଷ ମଇ ୨ ତାରିଖ ଠାରୁ ଜିଲ୍ଲାରେ କରୋନା ବ୍ୟାପୀ ଥିଲା । ତେବେ ସୁରତରେ କରୋନାର ଦ୍ୱିତୀୟ ପ୍ରବାହ ଆରମ୍ଭ ହୋଇଛି । କେବଳ ସୁରତ ମହାନଗର ନିଗମ ଅଂଚଳରୁ ୨୩ ତାରିଖରେ ୪୭୬, ୨୪ ତାରିଖରେ ୪୮୦ ଓ ୨୫ ତାରିଖରେ ୫୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନାରେ ପ୍ରତ୍ୟେହ ଜଣେ / ଦୁଇ ଜଣଙ୍କ ମୃତ୍ୟୁ ଘଟୁଛି । ସେଠାରୁ ପ୍ରବାସୀ ମାନେ ଫେରିଲେ ଗଞ୍ଜାମରେ ସଂକ୍ରମଣ ବ୍ୟାପୀବାର ଆଶଙ୍କା ରହିଥିଲା । ଜିଲ୍ଲାକୁ ପ୍ରବାସୀ ଫେରିବା ଆରମ୍ଭ ହୋଇଯାଇଛି । ସୁରତ ଓ ମୁମ୍ବାଇରୁ ପ୍ରତ୍ୟେହ ଗୋଟିଏ ଲେଖାଏଁ ଟ୍ରେନ୍ ଆସୁଥିବା କେଉଁ ଟ୍ରେନ୍ ରେ କେତେ ସଂଖ୍ୟାରେ ପ୍ରବାସୀ ଆସୁଛନ୍ତି, ତାହାର ହିସାବ କାହା ପାଖରେ ନାହିଁ । ବ୍ରହ୍ମପୁର ରେଳ ଷ୍ଟେସନରେ ପ୍ରତ୍ୟେହ ଆସୁଥିବା ପ୍ରବାସୀଙ୍କ ପଞ୍ଜିକରଣ କିମ୍ବା ସଚେତନତା କାର୍ଯ୍ୟକ୍ରମ ହେଉନାହିଁ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ । ଯେଉଁମାନେ କୌଣସି ପରୀକ୍ଷା ନକରି ଆସୁଥିବେ, ସେମାନେ ଏଠାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ୭ ଦିନ ଗୃହସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରୀ କରିଥିଲା । ବ୍ରହ୍ମପୁର ସମେତ ଛତ୍ରପୁର ଓ ଖଲ୍ଲିକୋଟ ଷ୍ଟେସନରେ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଂଚ୍ କୁ କଡ଼ାକଡ଼ି କରାଯିବ ବୋଲି କୁହାଯାଇଥିଲା । କିନ୍ତୁ, ଏଯାଏଁ କଟକଣା ନିର୍ଦ୍ଦେଶ କେବଳ କାଗଜପତ୍ରରେ ସୀମିତ ରହିଛି । ରେଳ ଷ୍ଟେସନରେ ପ୍ରବାସୀ ମାନେ ଆରଟି-ପିସିଆର ଟେଷ୍ଟ କରି ଆସିଛନ୍ତି କି ନାହିଁ ତାହା ମଧ୍ୟ ଯାଂଚ୍ କରାଯାଉନାହିଁ । ପ୍ରତିଦିନ ଏବେ ଶହ ଶହ ସଂଖ୍ୟାରେ ପ୍ରବାସୀ ଫେରୁଛନ୍ତି । ମା’ ତାରା ତାରିଣୀଙ୍କ ଚୈତ୍ର ପର୍ବ, ଦଣ୍ଡଯାତ୍ରା ଓ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଏହି ପ୍ରବାସୀ ମାନେ ବହୁ ସଂଖ୍ୟାରେ ସାମିଲ୍ ହେବା ନିଶ୍ଚିତ । ମହାବିଷୁବ ସଂକ୍ରାନ୍ତୀ ତଥା ମେରୁ ପର୍ବ ପରେ ଗଞ୍ଜାମ ଜିଲ୍ଲାର ବାସ୍ତବ ସଂକ୍ରମଣ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ