କରୋନା ସଂକ୍ରମଣ ରେକର୍ଡ : ୨୪ ଘଣ୍ଟାରେ ୧,୫୨,୫୪୫ ଲକ୍ଷ ପଜିଟିଭ୍, ୮୩୯ ମୃତ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଦେଶରେ କରୋନା ଭାଇରସ୍ ସଂକ୍ରମଣ ସାଂଘାତିକ ରୂପଧାରଣ କରିଛି । କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୨ ହଜାର ୫୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୮୩୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୧୬ ତାରିଖରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଥିଲା । ଏଥି ସହିତ ଭାରତ ଗୋଟିଏ ଦିନରେ ୧.୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲାରେ ବିଶ୍ୱର ୨ୟ ରାଷ୍ଟ୍ର ହୋଇଛି ।କରୋନା ଭାଇରସ ଲାଗି ଛତିଶଗଡ଼ର ରାଜଧାନୀ ରାୟପୁର ଓ ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ପଂଜାବ, ଲଖନଉ, ମହାରାଷ୍ଟ୍ର, ଗୁଜରାଟ ଓ ଉତ୍ତର ପ୍ରଦେଶର କିଛି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଚଣ୍ଡିଗଡ଼ରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପରେ ହସ୍ପିଟାଲ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । ହରିୟାଣାରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଥିବାରୁ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏସଂକ୍ରାନ୍ତରେ ସବୁ ଜିଲ୍ଲାକୁ ପତ୍ର ଲେଖି ରିପୋର୍ଟ ମାଗିଛି । ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ଭିଜ ସୋମବାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ସହିତ ବୈଠକ କରିବେ ।


