ସଂକ୍ରମଣ ରାଜ୍ୟରୁ ଗଜପତି ଫେରୁଥିବା ଯାତ୍ରୀଙ୍କୁ କଟକଣା
ଆନ୍ଧ୍ରରେ ପଢୁଥିବା ଛାତ୍ର ଛାତ୍ରୀ ସ୍ୱଭାବିକ ଭାବେ ସ୍କୁଲକୁ ଯିବେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆସନ୍ତା କାଲି ଅର୍ଥାତ ୧୨ ତାରିଖରୁ ପାରଳାଖେମୁଣ୍ଡି ସହ ସଂଯୋଗ କରୁଥିବା ସୀମାନ୍ତ ରାସ୍ତା ଗୁଡିକୁ ପ୍ରଶାସନ ତରଫରୁ ସିଲ୍ କରି ଦିଆଯିବ । ବିଶେଷ କରି ଅଧିକ ସଂକ୍ରମଣଥିବା ରାଜ୍ୟରୁ ଗଜପତିକୁ ଫେରୁଥିବା ଯାତ୍ରୀଙ୍କ ଠାରେ ନେଗେଟିଭ୍ ପ୍ରମାଣପତ୍ର କିମ୍ବା ୨ଥର କରୋନା ପ୍ରତିଶେଧକ ଟୀକା ନେଇଥିବା ପ୍ରମାଣପତ୍ର ରହିବା ବାଧ୍ୟତା ମୂଳକ । ଆନ୍ଧ୍ରରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସ୍ୱଭାବିକ ଭାବେ ନିଜ ନିଜର ସ୍କୁଲକୁ ପାଠ ପଢିବା ପାଇଁ ଯାଇପାରିବେ । ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ବସ୍ ଓ ବିଭିନ୍ନ ଯାତ୍ରୀବାହୀ ବସ ପୂର୍ବ ଭଳି ଚଳାଚଳ କରିବ । ହେଲେ କୋଭିଡ୍ ନିୟମକୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉଲଂଘନ କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଜପତି ଜିଲ୍ଲା ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ବହୁ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । ସେଥିରୁ ଏହି ପଦକ୍ଷେପ ଗୁଡିକ ଅନ୍ୟତମ । ବିଶେଷ କରି ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ଛତିଶଗଡ, କେରଳ ଆଦି କେତେକ ରାଜ୍ୟରେ ଦ୍ୱିତୀୟ ଲହରୀର କରୋନା ସଂକ୍ରମଣ ବିଶେଷ ବୃଦ୍ଧି ପାଇଛି । ଏସବୁ ରାଜ୍ୟରୁ ଗଜପତି ଫେରୁଥିବା ଲୋକଙ୍କ ଠାରେ କରୋନା ସଂକ୍ରମଣ ନଥିବା ଆବଶ୍ୟକ । ତେଣୁ ଏମାନଙ୍କ ଠାରେ ୭୨ଘଣ୍ଟା ମଧ୍ୟରେ ଥିବା ନେଗେଟିଭ୍ ପ୍ରମାଣ ପତ୍ର ସହ ଦୁଇଥର କରୋନା ପ୍ରତିଶେଧକ ଟୀକାକରଣର ପ୍ରମାଣ ପତ୍ର ନିହାତି ଆବଶ୍ୟକ । ଏଥି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛନ୍ତି । ଜନ ସାଧାରଣ ଗଜପତି ଜିଲ୍ଲାକୁ କରୋନା ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଉରରୋକ୍ତ ରାଜ୍ୟରୁ ଫେରୁଥିବା ଲୋକଙ୍କ ଯଦି କୌଣସି ଖବର ପାଆନ୍ତି ତୁରନ୍ତ ପ୍ରଶାସନ କିମ୍ବା ପୋଲିସକୁ ଜଣାଇ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ଆନ୍ଧ୍ରରେ ପାଠପଢୁଥିବା ଛାତ୍ରଛାତ୍ରୀମାନେ ପାରଳାଖେମୁଣ୍ଡି ସହରରୁ ଯେପରି ଭାବେ ସ୍କୁଲ କିମ୍ବା କଲେଜକୁ ଯିବା ଆସିବା କରୁଥିଲେ ପୂର୍ବ ଭଳି ସ୍ୱଭାବିକ ଭାବେ ଯିବା ଆସିବା କରିପାରିବେ ବୋଲି ମଧ୍ୟ ଉପ-ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେବା ସହ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚଳାଚଳ କରୁଥିବା ବସ୍, ବିଭିନ୍ନ ଯାତ୍ରୀବାହୀ ଯାନବାହାନ ଓ ରେଳ ସ୍ୱଭାବିକ ଭାବେ ବର୍ତ୍ତମାନ ପାଇଁ ଚଳାଚଳ କରିବ । ହେଲେ ସବୁ କ୍ଷେତ୍ରରେ କୋଭିଡ୍ କଟକଣା ବାଧ୍ୟତା ମୂଳକ ରହିବ । ଏମାନଙ୍କ ଉପରେ ପ୍ରଶାସନ ଓ ପୋଲିସ ପ୍ରତ୍ୟେକ ଦିନ ବିଭିନ୍ନ ଭାବେ ତନଖି କରିବା ବ୍ୟବସ୍ଥା ମଧ୍ୟ ରହିଛି ।


