ସରକାରୀ ପାନୀୟ ଜଳ ଯୋଗାଣ ଯୋଜନାରୁ ବଞ୍ଚିତ ବୁରୁସାହି ଏବଂ ଗଣେରାଘା ଗ୍ରାମବାସୀ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତ ଭାଲୁଗୋଡା ଗ୍ରାମର ସଂଲଗ୍ନ ଭାବେ ଥିବା ଦୁଇଟି ପଡାଗ୍ରାମ ବୁରୁସାହି ଏବଂ ଗଣେରାଘା ଗ୍ରାମ ବାସିନ୍ଦା ସ୍ବାଧିନତା ର ୭୫’ବର୍ଷ ବିତିଲା ପରେ ମଧ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣରୁ ବଞ୍ଚିତ ରହିଛନ୍ତି।ଏହି ଉକ୍ତିଟି ବିଶ୍ବାସ ଯୋଗ୍ୟ ହେଉ ନଥିଲେ ମଧ୍ୟ ସତ୍ୟ। ବହଳଦା ବ୍ଲକ ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତ ଭାଲୁଗୋଡା ଗ୍ରାମର ପଡାଗ୍ରାମ ପାଖାପାଖି ସଂଲଗ୍ନ ଭାବେ ଥିବା ବୁରୁସାହି ଏବଂ ଗଣେରାଘା ଏହି ଦୁଇଟି ଗ୍ରାମ ଗୁଡିକରେ ପକ୍କା ସଡକ,ବିଜୁଳୀ ଆଲୁଅ ସଂଯୋଗ ପରି ସରକାରୀ ସୁବିଧା ପହଞ୍ଚି ଥିଲାବେଳେ ଦୁଇଟି ଗ୍ରାମର ପ୍ରାୟ ୧୦୦’ ପରିବାର ଶୁଖିଯାଇଥିବା ପ୍ରାୟ ଏକ ରିଂ କୂଅରୁ ଯେଉଁଥିରେ କି ଅଧଘଣ୍ଟାଏ କାଳ ଜଗିଲେ ଏକ ବାଲଟି ପାଣି ବାହାରି ଥାଏ।ଦିନସାରା ଜଗି ଏବଂ ରାତିସାରା ଅନିଦ୍ରା ହୋଇ ପିଇବା ଏବଂ ରୋଷେଇ ପାଇଁ ପାଣି ନେଇଥାନ୍ତି। ତାହା ମଧ୍ୟ ଅପରିସ୍କାର ଗୋଳିଆ ପାଣି କପଡାରେ ଛାଣି ପିଇବା ଏବଂ ରୋଷେଇ ପାଇଁ ବ୍ୟବହାର କରିଥାନ୍ତି ଅନ୍ୟ ଏକ ଭଙ୍ଗା ଦଦରା କୂଅଟି ଯେଉଁଥିରେ କି ଅନାବନା ଗଛରେ ପୂର୍ଣ୍ଣ ରହିଛି ସେଠିକାର ଅପରିସ୍କାର ଗୋଳିଆ ପାଣି ମଧ୍ୟ ଗ୍ରାମବାସୀ ମାନେ ବ୍ୟବହାର କରୁଥିବା ଜଣା ପଡିଛି।ଏପରି କରୁଣ ଅବସ୍ଥାରେ ରହୁଥିବା ଏଠିକାର ଗ୍ରାମବାସୀ ଗୋଳିଆ ଅପରିସ୍କାର ପାଣି ବ୍ୟବହାର ଯୋଗୁଁ ଅଧିକାଂଶ ସମୟରେ ବିଭିନ୍ନ ରୋଗ ବ୍ୟାଧିରେ ପଡିବା ସହିତ ଅସୁସ୍ଥ ରହୁଥିବା ଜଣା ପଡିଛି।ଏଠାରେ ସରକାରୀ ଯୋଜନାରେ ଗୋଟିଏ ହେଲେ ନଳକୂପର ବ୍ୟବସ୍ଥା ନଥିବା ବେଳେ ଗ୍ରାମରେ ପକ୍କା ସଡକ ନିର୍ମାଣ ବେଳେ ସମ୍ପୃକ୍ତ ଠିକାଦାର ସଡକ ନିର୍ମାଣରେ କାର୍ଯ୍ୟରତ ଶ୍ରମିକ ଓ ରାସ୍ତା ନିର୍ମାଣରେ ଜଳର ଆବଶ୍ୟକତା ପୂରଣ ପାଇଁ ନିଜ ଖର୍ଚ୍ଚରେ ଏକ ନଳକୂପ ଖନନ କରିଥିଲେ।ତେବେ ଏହି ନଳକୂପ କାର୍ଯ୍ୟକ୍ଷମ ଅବସ୍ଥାରେ ରହି ଥିବାବେଳେ ଏଥିରୁ ଲୌହଗୁଣ୍ଡ ଯୁକ୍ତ ଅପରିସ୍କାର କାଦୁଅ ପାଣି ବାହାରୁ ଥିବାରୁ ଏହା ପାନୀୟ ଯୋଗ୍ୟ ହୋଇ ପାରୁ ନାହିଁ।ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ’ଙ୍କୁ ବାରମ୍ବାର ଜଣାଇବା ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବିଷୟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ।ପାନୀୟ ଜଳ ପାଇଁ ସଂଘର୍ଷମୟ ଜୀବନ ଯାପନ କରୁଥିବା ଏହି ଦୁଇଟି ପୋଡାଗ୍ରାମ ବୁରୁସାହି ଏବଂ ମଗେରାଘା ଗ୍ରାମର ସମସ୍ୟା ପ୍ରତି ଧ୍ୟାନ ଦେଇ ସ୍ଥାୟୀ ଭାବେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବା ସହିତ ବର୍ତ୍ତମାନ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବାକୁ ଗ୍ରମାବାସୀ ଦାବି କରିଛନ୍ତି।


