ଦୁର୍ଗାଘାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ପରିବର୍ତ୍ତନ ସଂପର୍କରେ ଚାଷୀମାନଙ୍କ ଦାବି
ଛତ୍ରପୁର , (ଦେବଦତ୍ତ ମହାରଣା): ଛତ୍ରପୁର ତହସିଲ ହୁମୁରୀ ମୌଜା ଅନ୍ତର୍ଗତ ଦୁର୍ଗାଘାଇ କ୍ଷୁଦ୍ର ଜଳସଚେନ ପ୍ରକଳ୍ପ ଯୋଜନା କାର୍ଯ୍ୟରେ କେତେକ ପରିବର୍ତ୍ତନ ସକାଶେ ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡାଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଚାଷୀ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପୋଡାପଦର ଗ୍ରାମ ପଞ୍ଚାୟତ ହୁମୁରୀ ମୌଜାର ମୁଖ୍ୟତଃ ହୁମର, କୁମାରବେଗପଲ୍ଲୀ ଏବଂ ପୋଡାଡଦର ଗ୍ରାମର ଚାଷୀମାନେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସଂପର୍କିତ ସେମାନଙ୍କ ସମସ୍ୟା ବିଷୟରେ ଉକ୍ତସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ଗ୍ରାମର ସମସ୍ତେ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଦୁର୍ଗାଘାଇ ଜଳସେଚନ ପ୍ରକଳ୍ପ ହମର, କୁମାରବେଗପଲ୍ଲୀ ଓ ପୋଡାପଦର ଗ୍ରାମର ଚାଷ ଜମିକୁ ପ୍ରାୟ ଏକ ହଜାର ଏକର ଚାଷ ଜମିକୁ ଜଳସେଚିତ କରିଥାଏ । ବିଗତ ଦୁଇ ବର୍ଷପୂର୍ବେ ଓଡିଶା ସରକାର ଓ ବିଶ୍ୱବ୍ୟାଙ୍କର ସହାୟତାରେ ସେମାନଙ୍କ ଗ୍ରାମରେ ଥିବା ଚାଷଜମିକୁ ଗ୍ରାମର ସରପଞ୍ଚ ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ବୁଲି ଦେଖି ତଦାରଖ କରି ଏକ ବୈଠକ କରି ଚାଷୀମାନଙ୍କ ପ୍ରମୁଖ ସମସ୍ୟା ପଚାରି ବୁଝିଥିଲେ । ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ବିଶ୍ୱ ବ୍ୟାଙ୍କର ସହାୟତାରେ ଓ.ଆଇ.ଆଇ.ପି.ସି.ଆର.ଏ. ଯୋଜନା ମାଧ୍ୟମରେ କିଛି ଉନ୍ନତି କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଉକ୍ତ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଅଛି । ଉକ୍ତ କାର୍ଯ୍ୟ ସଂପୁର୍ଣ୍ଣ ରୂପେ ଚାଷୀମାନଙ୍କ ଉପଯୋଗୀ ନୁହେଁ । ପୋଡାପଦର ଚାଷୀଙ୍କ ଏକମାତ୍ର ଭରସା ଦୁର୍ଗାଘାଇ ଓ ମଧୁବନ ନାଳ । ଏଣୁ ଏହି ଯୋଜନାରେ ଏକ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କାଡା କେନାଲରୁ କିଛି ଅଂଶ ହ୍ରାସ କରି ସମୁଦାୟ ୫ କିଲୋମିଟର ମଧ୍ୟରେ ସୀମିତ ରଖାଯିବା, ଦୁର୍ଗାଘାଇ ଠାରୁ ହଳଦିଙ୍ଗଠି ନାଳ ପର୍ଯ୍ୟନ୍ତ ବନ୍ୟାଜଳ ନିଷ୍କାସନ ନିମନ୍ତେ ବିସ୍ତୃତ ନାଳ ନିର୍ମାଣ କରାଯିବା, ମଧୁବନ ନାଳର ଗର୍ଭକୁ ସଂପୁର୍ଣ୍ଣ ପରିଷ୍କାର କରାଯିବା ସହିତ ପୁନଃରୁଦ୍ଧାର କରାଯିବା, ବୈଷୟିକ ପ୍ରଣାଳୀରେ ହଳଦିଙ୍ଗଠି ନାଳର ଶଙ୍ଖକୁ ଭାଙ୍ଗି ନୂତନ ଭାବେ କଲର୍ଭଟ ନିର୍ମାଣ କରିବା, ଦୁର୍ଗାଘାଇ ଗର୍ଭଭାଗକୁ ଖନନ କରି ପାଶ୍ୱର୍ସ୍ଥ ଆଡିବନ୍ଧକୁ ପଥରଦ୍ୱାରା ସୁଦୃଢୀକରଣ କରାଯିବା, ଦୁର୍ଗାଘାଇ ହୁଡାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ ଓ ଦୁର୍ଗାଘାଇ ମଧ୍ୟରେ ମାଛଚାଷ କରିବା ପାଇଁ ପଦକ୍ଷେପ ନିଆଯିବା, ଚାଷ ଜମିରୁ ଜଳ ନିଷ୍କାସନ ନିମନ୍ତେ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନିଆଯିବା ପ୍ରମୁଖ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ କାର୍ତ୍ତିକ ପଲାଇ, ନାରାୟଣ ବାବୁ, ଗଜେନ୍ଦ୍ର ପଲାଇ, ରାମକୃଷ୍ଣ ପଲାଇ, ସୁଦର୍ଶନ ପଲାଇ, ନାଗେଶ୍ୱର ପଲାଇ, ବିଜୟ କୁମାର ପଲାଇ, ନାଥ ପଲାଇ, ଭଗବାନ ଜୁତି, ରମାକାନ୍ତ ବେହେରା, ବି. କାମରାଜୁ ରେଡ୍ଡିଙ୍କ ସମେତ ପୋଡାପଦର ଗ୍ରାମର ବହୁ ଚାଷୀମାନେ ଉପସ୍ଥିତ ଥିଲେ ।


