ଦିଗପହଣ୍ଡି ପେଟ୍ରୋଲପମ୍ପ ନିକଟରୁ ଗଞ୍ଜେଇ ଜବତ ମାମଲା ; ୨ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ଜବତ ମାମଲା ର ୪ ବର୍ଷ ପରେ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ସାଦା ପୋଷାକରେ ଗଜପତି ଜିଲ୍ଲା ଅନ୍ତର୍ବା ଗାଁ ରେ ପହଞ୍ଚି ନିଜକୁ ଆଧାର କାର୍ଡ ପଞ୍ଜିକରଣ ଅଧିକାରୀ ବୋଲି ପରିଚୟ ଦେଇ ପ୍ରଥମେ ଗାଁ ଲୋକଙ୍କ ନିକଟରେ ବିଶ୍ୱାସ ଜନ୍ମାଇ ଥିଲେ। ପରେ ଗାଁ ରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ଗିରୀଶ ଚନ୍ଦ୍ର ସାହୁଙ୍କୁ ସିନେମା ଷ୍ଟାଇଲ ରେ ଗୋଡ଼ାଇ ଗୋଡ଼ାଇ ଗିରଫ କରିଥିଲେ। ପରେ ଗିରୀଶ ଙ୍କ ନିକଟରୁ ସୂଚନା ସଂଗ୍ରହ କରି ଅନ୍ୟତମ ଅଭିଯୁକ୍ତ ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମର ଝୁନା ବରାଡ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପୋଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଥାନା ମାମଲା ନଂ.୫୦/୨୦୧୭ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲା ଦୋୖରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଯୋଗ୍ୟ ଏହିକି ଯେ, ଗତ ୨୦୧୭ ମାର୍ଚ୍ଚ ୨୨ ତାରିଖ ସକାଳେ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଦ୍ରୁତ ଗତି ରେ ବ୍ରହ୍ମପୁର ଯାଉଥିବା ଏକ ମକା ବୋଝେଇ ପିକଅପ୍ ଭ୍ୟାନ ଓ ଆର ୦୭ ଭି – ୯୫୬୯ କୁ ଅଟକାଇ ଖାନ୍ ତାଲାସ କରିବାରୁ ସେଥିରେ ପ୍ରାୟ ୨୦ କେ ଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଥିବା ଜଣାପଡିଥିଲା। ଘଟଣା ସ୍ଥଳ ରୁ ଅଭିଯୁକ୍ତ ଦ୍ୱୟ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ଏନେଇ ତତ୍କାଳୀନ ଥାନା ଆଇ ଆଇ ସି ଦେବାଶିଷ ମହାନ୍ତି ଥାନା ମାମଲା ନଂ.୫୦/୧୭ ଦଫା -୨୦(ଖ) (ଆଇ .ଆଇ)(ଗ) ଏନ୍ ଡି ପି ଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।


