ଲଘୁଚାପ ବର୍ଷା ଉଜାଡିଲା ପାବିଲା ଧାନ ସହ ବିରି ଫସଲ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ଯୋଗୁଁ ଗତ ବୁଧବାର ଠାରୁ ଲଗାଣ ବର୍ଷା ଲାଗି ରହିଛି । ୪ ଦିନ ହେବ ତୁହାକୁ ତୁହା ବର୍ଷା ଯୋଗୁଁ ବ୍ଳକର ତଳିଆ ଅଂଚଳ ଜଳମଗ୍ନ ହୋଇଥିବା ଦେଖାଦେଇଛି । ଏହି ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଲଘୁ ଜାତୀୟ ଧାନ ସହ ବିରି ଫସଲ । କୃଷି ବିଭାଗର ତଥ୍ୟ ଅନୁସାରେ ଚଳିବର୍ଷ ଶିଖର,ଡେରିକି, ଓଷକଣା, ବଛାଳୋ, କୋରୁଅ, ଗଳଦାରୀ, ତିରୁଣା ଆଦି ପଂଚାୟତରେ ୩ଶହରୁ ଉର୍ଦ୍ଧ ହେକ୍ଟର ଚାଷ ଜମିରେ ଲଘୁ ଜାତୀୟ ଧାନ ଚାଷ କରାଯାଇଥିଲା । ଏହି ଧାନ ମଧ୍ୟରେ ଓଟରା, ଖଣ୍ଡଗିରି, ସୁପ୍ରଭା, ବିନାୟକ ଭଳି ଧାନ ଚାଷ କରାଯାଇଥିଲା । ଚାଷୀମାନଙ୍କ କହିବା ମୁତାବକ ଏହି ଧାନ ବୁଣିବାର ୧୨୦ ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ । ବର୍ତମାନ ଏହି ଧାନର ଅମଳ ସମୟ । ଏହି ଅମଳ ସମୟରେ ଳଘୁଚାପ ବର୍ଷା ଦାଉ ସାଧିଲା ବୋଲି କହିଛନ୍ତି ଏହି ପଂଚାୟତ ଗୁଡିକର ଚାଷୀ । ଚାଷୀଙ୍କ ଅଭିଯୋଗ ଅନୁଯାଇ ଚାଷ ଜମିରୁ ବର୍ଷାଜଳ ନିଷ୍କାସନର ସମସ୍ୟା ଥିବାରୁ ଏହା ସେମାନଙ୍କ ପାଇଁ ଦୁର୍ଦଶା ଆଣି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପାଚିଲା ଧାନ କେଉଁଠି ଆଣ୍ଠୁଏ ପାଣିରେ ଭାସୁଛି ତ କେଉଁ ଚାଷୀ ପାଚିଲା ଧାନକୁ ପାଣିରୁ ଛାଣୁଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଥାଉକି ଏହି ବ୍ଲକର ତିରୁଣା, ଓଷକଣା କୋରୁଅ, ଡାବର ପଂଚାୟତର ଶାରଦ ଜାତୀୟ ଧାନ ଜମିରେ ଚାଷୀ ବୁଣିଥିଲା ଡାଲି ଜାତୀୟ ଅର୍ଥକାରୀ ଫସଲ ବିରି । ଏହି ଲଗଣା ବର୍ଷା ଯୋଗୁଁ ଧାନ ଜମିରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ବିରି ଫସଲ ସମ୍ମୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ ପ୍ରକାଶ କରିଚନ୍ତି । ପରିସ୍ଥିତ ଏପରି ହୋଇଛି ଯେ ଚାଷୀଙ୍କ ନିକଟରେ ଗଛିତ ରଖି ଥିବା ବିରି ମଂଜି ଶେଷ ହୋଇଛି ବୋଲି ଅଭିଯୋଗ କରିଛନ୍ତି ତିରୁଣା ପଂଚାୟତର ଚାଷୀ ପାଣ୍ଡବ ସ୍ୱାଇଁ, ଅକ୍ଷୟ ସାମଲ, କେଦାର ବେହୁରା, ମୃତୁଂଜୟ ସାମଲ ଓ ଡମ୍ବରୁ ଧର ପରିଡା । ସେହିପରି ଓଷକଣା ପଂଚାୟତର ଚାଷୀ ବାବାଜୀ ବିଶ୍ୱାଳ, ବିଚିତ୍ରନନ୍ଦ ବହିରା, ରମେଶ ନାୟ, ମହାଦେବ ନାୟକ, ରମାକାନ୍ତ ଲେଙ୍କା, ଗଣେଷ ମୁଦୁଲି ପ୍ରମୁଖ ସମାନ ଅଭିଯୋଗ କରିଛନ୍ତି । ଏହି ଚାଷୀମାନଙ୍କୁ କୃଷି ବିଭାଗ ପକ୍ଷରୁ ରିହାତି ଦରରେ ବିରି ମଂଜି ଯୋଗାଇ ଦେବା ପାଇଁ ବ୍ଲକ କ୍ଷେତ ଓ ମଜଦୁର ସଂଘର ସଭାପତି ସୁବାସ ସ୍ୱାଇଁ,ସମାଜସେବୀ ପ୍ରଦିପ୍ତ ସ୍ୱାଇଁ,ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭିକାରୀ ସ୍ୱାଇଁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି ।


