କୁକୁର ପୂଜା ପାଉଥିବା ମନ୍ଦିର
କୁକୁର ସହିତ ମଣିଷର ସମ୍ପର୍କ ବହୁ ପ୍ରାଚୀନ । ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ଏହା ଜଣାଶୁଣା । ପୁଲିସ୍ ପାଇଁ ଅନୁସନ୍ଧାନ କାର୍ଯ୍ୟ ଓ ସେନାବାହିନୀରେ ସହାୟତା ପାଇଁ ତାଲିମ୍ପ୍ରାପ୍ତ କୁକୁରକୁ ନିୟୋଜିତ କରାଯାଉଛି । ମଣିଷର ଅତି ଅନୁଗତ ପାଲଟିଥିବା ଏହି ପ୍ରାଣୀକୁ ପୂଜା କରାଯାଉଥିବା ମନ୍ଦିର ବାବଦରେ ଜାଣନ୍ତି କି? ଉତ୍ତର ପ୍ରଦେଶର ବୁଲନ୍ଦ ସହରଠାରୁ ପ୍ରାୟ ପନ୍ଦର କିଲୋମିଟର୍ ଦୂର ସିକନ୍ଦରାବାଦରେ ଏମିତି ମନ୍ଦିରଟିଏ ଅଛି, ଯେଉଁଠ କୁକୁର ହିଁ ମନ୍ଦିରର ଦେବତା । ମନ୍ଦିର ଭିତରେ ରହିଛି ଗୋଟିଏ କୁକୁରର ସମାଧିସ୍ଥଳ । ହୋଲି, ନବରାତ୍ରି ଓ ଦୀପାବଳି ପାଳନବେଳେ, ଏହି ସମାଧିସ୍ଥଳରେ ସର୍ବାଧିକ ଲୋକଙ୍କ ସମାଗମ ହୁଏ । ଏହା ପଛରେ ଏକ କିଂବଦନ୍ତି ରହିଛି । ଏଠାରେ ପୂଜିତ କୁକୁରଟି ଜଣେ ସାଧୁ ବାବାଙ୍କର ଥିଲା । ବାବାଙ୍କ ପରଲୋକ ପରେ କୁକୁରର ମଧ୍ୟ ମୃତ୍ୟୁ ହୋଇଥିଲା । ପରେ କୁକୁରର ସମାଧି ସ୍ଥଳରେ ମନ୍ଦିରଟି ଗଢ଼ିଉଠିଥିଲା । ଏହା ପ୍ରାୟ ଏକ ଶହ ବର୍ଷର ପ୍ରାଚୀନ ମନ୍ଦିର । କୁକୁର ସମାଧି ସ୍ଥଳରେ ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହେଉଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ।


