ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ୧୧୧ ତାମିଲ ଚାଷୀ

ଚଳିତ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରାର୍ଥୀ ସାଜିଥିବା ବିଜେପିର ହାଇଭୋଲଟେଜ୍ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ତାମିଲନାଡୁର ୧୧୧ଚାଷୀ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଫଳରେ ମୋଦିଙ୍କ ପାଇଁ ଏବେ ଏହା ଏକ ସର୍ବବୃହତ୍ ଚ୍ୟାଲେଞ୍ଜ ସାଜିବାକୁ ଯାଉଛି ବୋଲି ରାଜନୈତିକ ବିଶେଶଜ୍ଞ ମତପୋଷଣ କରିଛନ୍ତି । ପ୍ରାପ୍ତ ସୂଚନାନୁସାରେ ଦିଲ୍ଲୀରେ ଅନେକ ଦିନ ଧରି ନିଜ ଦାବି ନେଇ ଆନ୍ଦୋଳନ ଚଳାଇଆସିଥିବା ତାମିଲନାଡୁ କୃଷକ ମହାସଂଘ ଏବେ ସିଧାସଳଖ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ୧୧୧ଜଣ ଚାଷୀଙ୍କୁ ପ୍ରାର୍ଥୀ ଭାବେ ଛିଡା କରାଇବାକୁ ଯୋଜନା ପ୍ରସ୍ତୁତ କରୁଛି । ତାମିଲନାଡୁ ଚାଷୀ ନେତା ପି. ଅୟାକନ ଶନିବାର ଏନେଇ ସୂଚନା ଦେଇ କହିଛନ୍ତି, ୨ଠ୧୭ରେ ରାଜ୍ୟର ହଜାର ହଜାର ସଂଖ୍ୟକ ଚାଷୀ ୧୦୦ରୁ ଅଧିକ ଦିନ ଦିଲ୍ଲୀରେ ନିଜର ଦାବି ନେଇ ଅନ୍ଦୋଳନ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଅନେକ ଥର ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣା, ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବି ଉପସ୍ଥାପନ କରାଯାଇସାରିଛି । ତଥାପି କେନ୍ଦ୍ର ବିଜେପି ସରକାର ସେମାନଙ୍କ ଦାବି ଶୁଣିନାହାନ୍ତି । ଅନ୍ୟ କିଛି ଉପାୟ ନପାଇ ଚଳିତ ନିର୍ବାଚନରେ ତାମିଲନାଡୁର ୧୧୧ଚାଷୀ ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଜେପି ଯଦି କୃଷକ ମହାସଂଘର କେବଳ ଗୋଟିଏ ସର୍ତ୍ତରେ ରାଜି ହୋଇଯାଏ, ସେମାନେ ନିର୍ବାଚନ ଲଢ଼ିବା ଚିନ୍ତାରୁ ହୁଏତ ଓହରିଯିବେ ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ ମହାସଂଘର ସର୍ତ୍ତଟି ହେଉଛି, ବିଜେପି ନିଜ ଘୋଷଣାପତ୍ରରେ ତାମିଲନାଡୁ ଚାଷୀଙ୍କ ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ଦିଅନ୍ତୁ । ଯଦି ସମୟ ସୁଦ୍ଧା ବିଜେପି ଏହି ସର୍ତ୍ତରେ ରାଜି ନହୁଏ ତେବେ କୃଷକ ମହାସଂଘ ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ