ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇବାକୁ ଦେଢସୁର ଭାଇବୋହୁର ସ୍ୱାମୀ ସାଜିଲେ !
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସରକାରୀ ଯୋଜନାରେ ପୂର୍ବରୁ ଗୋଟିଏ ଘର ପାଇବା ପରେ ଅନ୍ୟ ଗୋଟିଏ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହାତେଇବାକୁ ଶେଷରେ ଜନୈକ ଦେଢସୁର ଭାଇବୋହୁର ସ୍ୱାମୀ ସାଜିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ଘଟଣାରୁ ପ୍ରକାଶ ଯେ ରାଜକନିକା ବ୍ଲକ ଅନ୍ତର୍ଗତ କୋରନ୍ଦ ପଂଚାୟତର ବଂଶରିଆ ଗ୍ରାମର ରୁକ୍ମଣୀ ବେହେରାଙ୍କ ସ୍ୱାମୀ ହଳଧର ବେହେରା ୨୦୧୫-୧୬ ମସିହାରେ ସରେକାରଙ୍କ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଏକ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇ ଗୃହ ନିର୍ମାଣ କରି ସଂପୂର୍ଣ୍ଣ ଅର୍ଥ ବ୍ଲକରୁ ନେଇଥିଲେ । ତେବେ ୨୦୧୯ ମସିହାରେ ପୂନର୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ହାତେଇ ନେବାକୁ ଉଦ୍ୟମ କରି ବିଫଳ ହେବାରୁ ଚଂଚକତା କରାଯାଇ ଶେଷରେ ତାଙ୍କ ଦେଢସୁର ବଳରାମ ବେହେରା ରୁକ୍ମଣୀଙ୍କ ସ୍ୱାମୀ ସାଜି ଜିଓ ଟାଗିଂ ସମୟରେ ଠିଆହୋଇ ଫଟୋ ଉଠାଇଥିବା ଭଳି ବିରଳ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ଆଳିର ପୂର୍ବତନ ବିଧାୟକ ଶ୍ରୀ ଶର୍ମା । ଏଥିସହିତ ସେହି ଯୋଜନାରେ କାର୍ଯ୍ୟାଦେଶ ହାତେଇ ନେବା ସହିତ ପ୍ରଥମ କିସ୍ତି ବାବଦକୁ ୨୦ହଜାର ଟଙ୍କା ମଧ୍ୟ ରୁକ୍ମଣୀ ନେଇଯାଇଛନ୍ତି ବୋଲି ପୂର୍ବତନ ବିଧାୟକ ଶ୍ରୀ ଶର୍ମା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ଏଭଳି ବେଆଇନ ଓ ଦୁର୍ନିତୀମୂଳକ କାର୍ଯ୍ୟରେ ତାଙ୍କୁ ସହାୟତା ପ୍ରଦାନ କରିଥିବା ସଂପୃକ୍ତ ସରକାରୀ କର୍ମଚାରୀ ଓ ରୁକ୍ମଣୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ଶର୍ମା ।


