ରେକର୍ଡ ଭାଙ୍ଗିଲେ ନେପାଳୀ ପର୍ବତାରୋହୀ
ନୂଆଦିଲ୍ଲୀ: ମାତ୍ର ଛଅ ମାସରେ ବିଶ୍ୱର ୧୪ଟି ଉଚ୍ଚ ଶୃଙ୍ଗ ଆରୋହଣ କରି ଜଣେ ନେପାଳୀ ପର୍ବତାରାହୀ ରେକର୍ଡ କରିଛନ୍ତି । ଏତେଗୁଡ଼ିଏ ଶୃଙ୍ଗାରୋହଣ ପାଇଁ ଅନ୍ୟ ଆରୋହୀମାନଙ୍କୁ ବର୍ଷ ବର୍ଷ ଲାଗେ । ମଙ୍ଗଳବାର ପ୍ରତ୍ୟୁଷରେ ଦଳେ ଶେର୍ପାଙ୍କ ସହ ତିବ୍ଦତର ଶିଶାପଙ୍ଗମ୍ ପର୍ବତ ଶିଖରରେ ପହଞ୍ଚିବା ପରେ ୩୬ ବର୍ଷିୟ ପର୍ବତାରୋହୀ ନିର୍ମଳ ପୁର୍ଜା ତାଙ୍କର ଲକ୍ଷ୍ୟ ହାସଲ କରିଥିଲେ । ସାମାଜିକ ଗଣମାଧ୍ୟରେ ଏ ସଂକ୍ରାନ୍ତରେ ସେ ଲେଖିଛନ୍ତି: ଲକ୍ଷ୍ୟ ହାସଲ ହେଲା!ପୁର୍ଜାଙ୍କ ପାଇଁ କେତାଟି ଅଭିଯାନ ଆୟାଜନ କରିଥିବା ନେପାଳୀ କମ୍ପାନି ସେଭେନ୍ ସମିଟ୍ ଟ୍ରେକ୍ର ଜଣେ ମୁଖପାତ୍ର କହିଛନ୍ତି ଯେ ସେମାନେ ଆରାହଣକାରୀ ଦଳଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ପୁର୍ଜା ଶିଶପାଙ୍ଗମା ଶିଖରରେ ପହଞ୍ଚିଥିବା କଥାରେ ସେମାନେ ନିଶ୍ଚିତ । ପୁର୍ଜା ୨୬, ୩୫୦ ଫୁଟ୍ ଭଳି ଉଚ୍ଚତାସମ୍ପନ୍ନ ପର୍ବତ ଶୃଙ୍ଗ ଉପରେ ତୁରନ୍ତ ପହଞ୍ଚିବା ଅଭିଯାନର ନାଁ ଦେଇଥିଲେ- “ପ୍ରୋଜେକ୍ଟ୍ ପସିବଲ୍’? ଏପ୍ରିଲ୍ ମାସରେ ଅନ୍ନପୂର୍ଣ୍ଣା ପର୍ବତ ଶୃଙ୍ଗ ଆରୋହଣ କରି ଏହି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ପରେ ସେ ଚୀନ୍, ଭାତର, ନେପାଳ ଏବଂ ପାକିସ୍ତାନ ଯାଏଁ ଲମ୍ବିଥିବା ହିମାଳୟ ଏବଂ କାରାକୋରମ୍ ଶ୍ରେଣୀରେ ଥିବା ବାକି ୧୩ ପର୍ବତ ଶୃଙ୍ଗାରୋହଣ କରିଥିଲେ । ପୂର୍ବରୁ ଦକ୍ଷିଣ କୋରିଆର କିମ୍ ଚାଙ୍ଗ୍-ହା ସାତ ବର୍ଷ, ୧୦ ମାସ ଏବଂ ଛଅ ଦିନରେ ଏହି ୧୪ଟି ଶୃଙ୍ଗ ଆରୋହଣ କରି ରେକର୍ଡ କରିଥିଲେ । ତାଙ୍କ ପୂର୍ବରୁ ପୋଲାଣ୍ଡର ଜେର୍କି କୁକୁକଜା ସାତ ବର୍ଷ, ଏଗାର ମାସ ଏବଂ ୧୪ ଦିନରେ ଏହି ଶୃଙ୍ଗ ଆରୋହଣ କରିଥିଲେ । ରେକର୍ଡ ପାଇଁ ପୁର୍ଜା ତାଙ୍କର ଜନ୍ମଗତ ଦୈହିକ କ୍ଷମତା ଏବଂ ସାମରିକ ତାଲିମକୁ ଶ୍ରେୟ ଦେଇଛନ୍ତି । ସେ ବ୍ରିଟିସ୍ ସଶସ୍ତ୍ର ବାହିନୀରେ ୧୬ ବର୍ଷ କାମ କରିଥିଲେ ।


