ମୃତ ସଂଜୟଙ୍କ ନ୍ୟାୟ ଦାବୀରେ ୫ଘଣ୍ଟା ଜାତୀୟ ରାଜପଥ ଅବରୋଧ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହା ଗୁଡ଼ି ଗ୍ରାମରେ ଗତ ଜୁଲାଇ ମାସ ୪ ତାରିଖରେ ଭାବି ଶଶୁରଙ୍କ ଗ୍ରାମରୁ କିଛି ଦୂରରେ ସଂଜୟଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ପରିବାର ଲୋକଙ୍କ ସୂଚନାପ୍ରକାରେ ସଂଜୟ ଏବଂ ରାଣୀ ପ୍ରଧାନ ଉଭୟେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ। ଯାହାକୁ ବିରୋଧ କରିଆସୁଥିଲେ ରାଣୀଙ୍କ ପରିବାର ଲୋକେ । କିଛି ମାସ ଗଲା ପରେ ୨୦/୬ରେ ବହୁ ବୁଝାସୁଝା ପରେ ନିର୍ବନ୍ଧ ହୋଇଥିଲା। ସଂଜୟଙ୍କ ପରିବାର ଲୋକେ ଝିଅ ପକ୍ଷକୁ ୩୦ ହଜାର ଟଙ୍କାର ସୁନା ଓ ଲୁଗାପଟା ଆଦି ସାମଗ୍ରୀ କିଣି ଦେଇଥିଲେ। ଆସନ୍ତା ଡିସେମ୍ବର ମାସରେ ହୋଇଥାନ୍ତା ବାହାଘର । ଏହା ମଧ୍ୟରେ ଜୁଲାଇ ମାସ ୩ରେ ଭାବି ଶଳାଙ୍କ ଜନ୍ମଦିନ ପାଳନ ପାଇଁ ଜୁଲାଇ ୨ତାରିଖରେ ସଂଜୟ ଯାଇଥିଲେ ଭାବି ଶଶୁର ଘରକୁ ।୩ ତାରିଖରେ ବହୁ ଆଡମ୍ବରରେ ଜନ୍ମଦିନ ପାଳନ ପରେ ରାତିରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ହୋଇଥିଲା। କିଛି ସମୟ ପରେ ରାଣୀ ସଂଜୟ କୁ ମନାରେ ଉଭୟେ ଖାଦ୍ୟ ଖାଇଥିଲେ। ଜୁଲାଇ ୪ ର ଭୋରରୁ ସଂଜୟ ଘରୁ ଉଠି ନିକଟସ୍ଥ ନାଳକୁ ସ୍ନାନଶୌଚ ପାଇଁ ଯାଇଥିଲେ। କିଛି ସମୟ ବିଡିବା ପରେ ଜନୈକ ବ୍ୟକ୍ତି ରାଣୀଙ୍କ ଘରେ ସୂଚନା ଦେଲେ ତୁମ ଯୋଇଁ ନିଜ ନିକଟସ୍ଥ ଏକ ଗଛରେ ଚାଦର ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳକୁ ରାଣୀ ଓ ପରିବାରର କିଛି ଲୋକ ମିଶି ଯାଇ ଦେଖିବାବେଳେ ସଂଜୟ ଛଟପଟ ହେଉଥିବା ଅବସ୍ଥାରେ ତାଙ୍କୁ କମଲାପୁର ଆୱ।ର ମେଡିକାଲକୁ ନେଇଥିଲେ। ତାପରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତର ସଂଜୟକୁ ମୁତ ଘୋଷଣା କରିଥିଲେ ବୋଲି ରାଣୀ ସୂଚନା ଦେଇଥିଲେ। ଖବର ପାଇ ମୃତ ସଂଜୟଙ୍କ ପରିବାର ଲୋକେ ମୋହନା ମେଡିକାଲକୁ ଆସି ଦେଖିଲାବେଳେ ସଂଜୟର ହାତରେ କଟା ଦାଗ ଦେଖି ଦାଦା ସୁବାସ ଚନ୍ଦ୍ର ନାୟକ ସଂଜୟଙ୍କ ଭାବି ଶଶୁର ଦେବାନନ୍ଦ ପ୍ରଧାନ, ଶାଶୁ ଇନ୍ଦୁମତି ପ୍ରଧାନ, ଝିଅ ରାଣୀ ପ୍ରଧାନ,ରୁନି ପ୍ରଧାନ, ଝୁନି ପ୍ରଧାନ, ଜିତେନ୍ଦ୍ର ପ୍ରଧାନ ମିଶି ମାରିଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ଘଟିବାର ପ୍ରାୟ ୨୭ଦିନ ପରେ ପୁଲିସ ୨ ଅଗଷ୍ଟରେ ରାଣୀକୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନ ଯିବା ପ୍ରତିବାଦରେ ଗୁରୁବାର ଦିନ ମୃତକଙ୍କ ପରିବାର ଓ ଉସ୍ତ ପଦା ଗ୍ରାମବାସୀ ମିଳିତ ଭାବେ ସକାଳ ୫ଟାରୁ ମଧ୍ଯ।ହ୍ନ ୧୨ଟା ପର୍ଯ୍ୟନ୍ତ ବ୍ରହ୍ମପୁର-ରାୟଗଡା ଜାତୀୟ ରାଜପଥ(୩୨୬)କୁ ୫ଘଣ୍ଟା ଅବରୋଧ କରି ପୁଲିସ ବିରୋଧରେ ନାରାବାଜି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ମୋହନା, ଅଡବା ଥାନା ଅଧିକାରୀ ଓ କର୍ମଚାରି ପହଞ୍ଚିଥିଲେ। କିଛି ଘଣ୍ଟା ପରେ ଦିଲୀପ କୁମାର ନାୟକ , ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ପହଞ୍ଚି ବହୁ ବୁଝାସୁଝା କରି ସେମାନଙ୍କର ଦାବୀ ଗୁଡିକୁ ତଦନ୍ତ କରି ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିଲା। ମୃତ ସଂଜୟଙ୍କ ଦାଦା ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ରାଣୀଙ୍କ ପରିବାର ଲୋକେ ମୋହନା ବିଧାୟକ ଦାଶରଥି ଗମାଙ୍ଗକୁ ଧରି କେଶଟିକୁ ଚାପ ପକାଇ ଦବାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।