ଦୁଗ୍ଧଚାଷୀଙ୍କୁ କୋଭିଡ୍ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା – ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟର ୧ଲକ୍ଷ ଦୁଗ୍ଧଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆଜି ୧୧ କୋଟି ଟଙ୍କାର କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଛି । ଏହାଦ୍ୱାରା ଜଣେ ଜଣେ ଚାଷୀ ୬ ହଜାର ଟଙ୍କା ପର୍ଯ୍ୟନ୍ତ କୋଭିଡ୍ ସହାୟତା ପାଇଛନ୍ତି । ରାଜ୍ୟର ଦୁଗ୍ଧଚାଷୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏହି ସହାୟତା ଏକ ବହୁତ ବଡ଼ ପଦକ୍ଷେପ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଛି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରକାଶ କରିଛନ୍ତି ଯେ, ଓମ୍ଫେଡ୍ ଜରିଆରେ ୨ଲକ୍ଷ ୭୮ ହଜାର ଚାଷୀ ପ୍ରତିଦିନ ହାରାହାରି ୬ଲକ୍ଷ ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି । ଏହାବ୍ୟତୀତ ପ୍ରଗତି ଡାଏରୀ, ମିଲ୍କ ମୁଁ ଓ ଓଡ଼ିଶା ଡାଏରୀ ପାଖାପାଖି ୨ଲକ୍ଷ ଲିଟର କ୍ଷୀର ଦେଇ ନିଜର ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ କୋଭିଡ୍ ସମୟରେ କେହି ଡାଏରୀ କମ୍ପାନୀମାନେ ଦୁଗ୍ଧ ନନେବା ଫଳରେ ଚାଷୀମାନେ ବହୁତ କ୍ଷତିର ସମ୍ମୁଖୀନ ହେଲେ । ସେମାନଙ୍କର ଜୀବନ ଜୀବିକା ବିପଦ ମୁହଁକୁ ଠେଲି ହୋଇଗଲା । ବାରମ୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚାଷୀମାନେ ପହଂଚି କ୍ଷତିପୂରଣ ଦେବାପାଇଁ ସହାୟତାର ହାତ ବଢ଼ାଇବାକୁ ନିବେଦନ କଲେ । ଦୁଗ୍ଧଚାଷୀମାନଙ୍କର ଏହି ଅସମୟରେ ମୁଖ୍ୟମନ୍ତ୍ରୀ ଆଗେଇଆସି ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ୧୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ଯୋଗୁଁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ପାଖରେ ତା’ର କୃତଜ୍ଞତା ଜ୍ଞାପନ କରୁଛୁ । ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନକୁ ଆଜିର ୨୪ ଲକ୍ଷ ଟନ୍ରୁ ୩୦ଲକ୍ଷ ଟନ୍କୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି । ରାଜ୍ୟର କୃଷି ଅର୍ଥନୀତିରେ ଦୁଗ୍ଧ ଉତ୍ପାଦନ ଗାଁ ଗହଳିର ବେକାର ଯୁବକ ଯୁବତୀଙ୍କର ଜୀବନ ଜୀବିକା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶେଷତଃ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଦୁଗ୍ଧ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଦୁଗ୍ଧଚାଷୀମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଗାମୀ ଦିନରେ ବ୍ୟାଙ୍କ ମାନଙ୍କୁ ପଦକ୍ଷେପ ନେବାକୁ କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି । ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ମାନ୍ୟବର କୃଷିମନ୍ତ୍ରୀଙ୍କୁ ମଧ୍ୟ କୋଭିଡ୍ ସହାୟତା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି ।