ଅନୁସୂଚିତ ଜାତି ଘର ଭଙ୍ଗାଯିବା ଘଟଣା : ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ରାଇସରପୁର ଗ୍ରାମର ଅନୁସୂଚିତ ଜାତି ସମ୍ପ୍ରଦାୟର ଏକ ଭୂମିହୀନ ପରିବାର ଭରତ ମଳିକଙ୍କ ବାସଗୃହକୁ ଆଳି ତହସିଲଦାର ସଂପୂର୍ଣ୍ଣ ଭାଙ୍ଗି ଦେଇଥିବା ସମ୍ପର୍କରେ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ, ଅନୁସୂଚିତ ଜାତି ଜନଜାତି ଯୁବ ପରିଷଦର ରାଜ୍ୟ ସଭାପତି ତଥା ଆଇନଜୀବୀ ହଳଧର ସେଠୀଙ୍କ ନେତୃତ୍ୱରେ ପିଡିତ ଭରତ ମଳିକ ଓ ତାଙ୍କ ପତ୍ନୀ ରୀତା ମଳିକଙ୍କ ସହିତ ଯାଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ଗତ ଅପ୍ରେଲମାସ ୨୩ତାରିଖରେ ଆଳି ତହସିଲଦାର ଏବଂ ବାଟିପଡା ସର୍କଲର ରାଜସ୍ୱ ନିରୀକ୍ଷକ ଅତ୍ୟନ୍ତ ବେଆଇନ ଭାବରେ ଭୂମିହୀନ ତଥା ଅନୁସୂଚିତ ଜାତି ବର୍ଗର ଭରତ ମଳିକଙ୍କ ଏକମାତ୍ର ବାସଗୃହଟିକୁ ସଂପୂର୍ଣ୍ଣ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ଆଳି ତହସିଲର ପାତ୍ରପୁର ପଞ୍ଚାୟତର ସରପଞ୍ଚ, ତହସିଲଦାର, ବିଡିଓ ଏବଂ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଶ୍ରୀ ମଳିକଙ୍କ ବାସଗୃହଟିକୁ ଭାଙ୍ଗିବା ପୂର୍ବରୁ ତାଙ୍କର ଆବଶ୍ୟକ ଥଇଥାନ ବ୍ୟବସ୍ଥା ମଧ୍ୟ କରିନଥିଲେ । ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ସେହି ଗୋଚର ଜମିରେ ପକ୍କାଘର କରି ରହି ଆସୁଥିବା ଭରତଙ୍କ ନାମରେଏକ ଅବରୋଧ ମାମଲା ରୁଜୁ କରାଯାଇ ତାଙ୍କ ଠାରୁ ରାଜସ୍ୱ ନିରୀକ୍ଷକ ଜୋରିମାନା ଆଦାୟ କରିଥିବାର ରସିଦ ରହିଛି । କିନ୍ତୁ ଗତ ୨୦୧୯ ମସିହାରେ ସେହି ଗୋଚର ଜମିର ବାକିଅଂଶରେ ସେହି ଗ୍ରାମର ଅନ୍ୟ ସଂପ୍ରଦାୟର ଲୋକମାନେ ଏକ ହନୁମାନ ମନ୍ଦିର, ଏକ ଯଜ୍ଞଘର ଓ ଅନ୍ୟ ଏକ ଗୋଷ୍ଠିକେନ୍ଦ୍ର ଘର ନିର୍ମାଣ ଆରମ୍ଭ କରିଥିଲେ । ସେହି ହନୁମାନ ମନ୍ଦିର, ଯଜ୍ଞଘର ଓ ଗୋଷ୍ଠିକେନ୍ଦ୍ର ନିକଟରେ ଅନୁସୂଚିତ ଜାତି ବର୍ଗର ପରିବାର ରହିପାରିବ ନାହିଁ ବୋଲି ଅନ୍ୟ ସଂପ୍ରଦାୟର ଲୋକମାନେ ବିରୋଧ କରି ସେଠାରୁ ଏହି ଦଳିତ ପରିବାରକୁ ହଟାଇ ଦେବାକୁ ଉଦ୍ୟମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ସେହି ଗ୍ରାମର ଅନ୍ୟ ଗ୍ରାମବାସୀଙ୍କ ସହିତ ସରପଞ୍ଚ ଏକର ଏକର ସରକାରୀ ଜମି ମାଡିବସିଥିବା ବେଳେ ଗୋଟିଏ ଦଳିତ ପରିବାରକୁ ଏଭଳି ଭାବେ ବାସଶୂନ୍ୟ କରିଦେବା କେଉଁ ପ୍ରକାର ନ୍ୟାୟ ବୋଲି ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ ଜଣେ ୭୩ବର୍ଷର ବିଧବା ବୃଦ୍ଧାଙ୍କ ସମେତ ୫ଜଣ ପରିବାର ବିଶିଷ୍ଟ ଏକ ଦଳିତ ପରିବାରକୁ ବେଘର କରିଦେବା ଓ ସେହି ପରିବାର ଏବେ ଗୋଟିଏ ପଲିଥିନ ତଳେ ଅତ୍ୟନ୍ତ ଦୁସ୍ଥିତି ମଧ୍ୟରେ ଜୀବନ ବିତାଉଥିବା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି । ଏହି ବାସହୀନ ଦଳିତ ପରିବାରକୁ କରୋନା ଲକଡାଉନ ଓ ସଟଡାଉନ ସମୟରେ ଅନ୍ତତ ପକ୍ଷେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳି ଯୋଗାଇଦେବାକୁ କୈାଣସି ସରକାରୀ ଅଧିକାରୀ ଉଚିତ ମଣିନଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ଶ୍ରୀ ସେଠୀ । ତେଣୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏହି ବାସହୀନ ତଥା ଭୂମିହୀନ ଦଳିତ ପରିବାରର ମୂଲ୍ୟବାନ ଜୀବନର ସୁରକ୍ଷା ନିମନ୍ତେ ତାଙ୍କୁ ଏକ ଜମି ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ପ୍ରଦାନ ପାଇଁ ଅନୁସୂଚିତ ଜାତି ଜନଜାତି ଯୁବ ପରିଷଦର ରାଜ୍ୟ ସଭାପତି ଶ୍ରୀ ସେଠୀ ନିବେଦନ କରିଛନ୍ତି । ସଂପୃକ୍ତ ଦଳିତ ପରିବାର ନାମରେ ଦୀର୍ଘ ୪୦ବର୍ଷ ଧରି ରହି ଆସିଥିବା ଅବରୋଧ ମାମଲାର ଜମିକୁ ସେହି ପରିବାରକୁ ଗୃହ ନିର୍ମାଣ ନିମନ୍ତେ ପ୍ରଦାନ କରାଯିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ତାଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମଙ୍କୁ ଅନୁସୂଚିତ ଜାତି ଜନଜାତି ଯୁବ ପରିଷଦର ରାଜ୍ୟ ସଭାପତି ଶ୍ରୀ ସେଠୀ ଅନୁରୋଧ କରିଛନ୍ତି ।


