ବେକାରି ହାର ବଢ଼ିଲା ଅକ୍ଟୋବରରେ ୮.୫%, ୩ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶର ବେକାରି ହାର ଚଳିତ ବର୍ଷର ଅକ୍ଟୋବର ମାସରେ ୮.୫%କୁ ବୃଦ୍ଧି ପାଇଛି । ତିନି ବର୍ଷ ଭିତରେ ବେକାରି ହାର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି “ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତରଫରୁ କୁହାଯାଇଛି । ଗତ ସେପ୍ଟେମ୍ବରରେ ବେକାରି ହାର ୭.୨% ଥିଲା । ଏହାର ମାସେ ପରେ ସେଥିରେ ବୃଦ୍ଧି ଘଟିଛି । ଶେଷ ଥର ପାଇଁ ୨୦୧୬ ଅଗଷ୍ଟରେ ବେକାରି ହାରକୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଥିଲା । ବେକାରି ସମସ୍ୟାକୁ ନେଇ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନେବଲ ଏମ୍ପଲୟମେଣ୍ଟ୍ ତରଫରୁ ମଧ୍ୟ ଏକ ରିପୋର୍ଟ ଜାରି କରାଯାଇଛି । ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୧-୧୨ରୁ ୨୦୧୭-୧୮ ଭିତରେ ଦେଶରେ ନିଯୁକ୍ତି ସଂଖ୍ୟା ୯୦ ଲକ୍ଷ ହ୍ରାସ ପାଇଛି । କୃଷି ଓ ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହେଉଛି । କନଷ୍ଟ୍ରକ୍ସନ ଓ ସେବା କ୍ଷେତ୍ରରେ ଯେତିକି ନିଯୁକ୍ତି ସୃଷ୍ଟି ହେଉଛି ତାହା ଏହି କ୍ଷତିକୁ ଭରଣା କରିପାରୁନାହିଁ । ବିଶ୍ୱବିଦ୍ୟାଳୟର ସନ୍ତୋଷ ମେହରୋତ୍ରା ଓ ଯଯାତି କେ ପରିଡ଼ା ପ୍ରସ୍ତୁତ କରିଥିବା ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ୨୦୧୧-୧୨ରେ ଦେଶରେ ମୋଟ ନିଯୁକ୍ତି ସଂଖ୍ୟା ୪୭.୪୨ କୋଟି ଥିଲା । ୨୦୧୭-୧୮ ସୁଦ୍ଧା ସେହି ସଂଖ୍ୟା ୪୬.୫୧ କୋଟିକୁ ଖସିଆସିଥିଲା । ଉତ୍ତର ପ୍ରଦେଶ, ଓଡ଼ିଶା, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, କେରଳ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ପଞ୍ଜାବରେ ନିଯୁକ୍ତିରେ ଅଧିକ ହ୍ରାସ ଘଟିଛି । ଓଡ଼ିଶାରେ ନିଯୁକ୍ତି ସଂଖ୍ୟା ୨୧ ଲକ୍ଷ କମିଯାଇଛି । ନିଯୁକ୍ତି ହରାଇବାରେ ଉତ୍ତର ପ୍ରଦେଶ ତଳକୁ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶ ୩୨ ଲକ୍ଷ ନିଯୁକ୍ତି ହରାଇଛି । ନିଯୁକ୍ତି ପ୍ରତି କୃଷି କ୍ଷେତ୍ରର ଅବଦାନ ୪୯%ରୁ ହ୍ରାସ ପାଇ ୪୪%ରେ ପହଞ୍ଚିଛି । ଏହି ସମୟରେ ମାନୁଫାକ୍‌ଚରିଂ କ୍ଷେତ୍ର ୩୫ ଲକ୍ଷ ନିଯୁକ୍ତି ହରାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୦୪-୦୫ରେ କୃଷି କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ୨୬.୮୭ କୋଟି ଥିଲା । ୨୦୧୧-୧୨ ସୁଦ୍ଧା ତାହା ୨୩.୧୯ କୋଟିକୁ ହ୍ରାସ ପାଇଥିଲା । ୨୦୧୭-୧୮ରେ ତାହା ଆହୁରି ତଳକୁ ଖସି ୨୦.୫୩ କୋଟିରେ ପହଞ୍ଚିଯାଇଛି । ସେହିପରି ମାନୁଫାକଚରିଂ କ୍ଷେତ୍ରରେ ୨୦୧୧-୧୨ରେ ମୋଟ ନିଯୁକ୍ତି ସଂଖ୍ୟା ୫.୯୮ କୋଟି ଥିଲା । ୨୦୧୭-୧୮ ବେଳକୁ ତାହା ୫.୬୪ କୋଟିକୁ ଖସି ଆସିଛି । ସେବା କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ଏହି ଛଅ ବର୍ଷ ଭିତରେ ୧୨.୭୩ କୋଟିରୁ ବୃଦ୍ଧି ପାଇ ୧୪.୪୪ କୋଟିରେ ପହଞ୍ଚିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ