ଶ୍ରମିକଙ୍କ ପାଇଁ ଆଦାୟ ହୋଇଥିବା ସେସ୍ ଟଙ୍କାର ହିସାବ ଦିଅନ୍ତୁ ସରକାର : କଂଗ୍ରେସ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଭାରତ ବର୍ଷରେ ଅଣସଂଗଠିତ ଶ୍ରମିକମାନଙ୍କର ଶ୍ରମ ଶକ୍ତିର ଯଦି ହିସାବ କରାଯାଏ ତାହା ୯୩ ପ୍ରତିଶତ ହେବ । ଦେଶର ଅଭିବୃଦ୍ଧି କ୍ଷେତ୍ରରେ (ଜି.ଡି.ପି) କୁ ଏହି ଅଣସଂଗଠିତ କ୍ଷେତ୍ରର ଅବଦାନ ଶତକଡ଼ା ୫୦ ଭାଗ । କିନ୍ତୁ ଏହି ବର୍ଗର ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ମିଳେନାହିଁ । ଶ୍ରମ ସ୍ଥଳରେ ଶ୍ରମଦାନ ପାଇଁ ଅନୁକୂଳ ପରିବେଶ ନଥାଏ, ଦୁର୍ଘଟଣାଗ୍ରସ୍ତ ହେଲେ ଏମାନେ ଘରେ ବସି ରହନ୍ତି – ଏମାନଙ୍କୁ ମଜୁରୀ ମିଳେ ନାହିଁ, ଶ୍ରମିକ ସଂଘ ବିଷୟରେ ଏମାନଙ୍କର ଧାରଣା ନଥାଏ । ସରକାରୀ ନିର୍ଦ୍ଧାରିତ ୮ ଘଂଟାରୁ ଏମାନେ ଅଧିକ ସମୟ କାର୍ଯ୍ୟ କରିଥାନ୍ତି । କୌଣସି ରୋଗରେ ପୀଡ଼ିତ ହେଲେ ଏମାନଙ୍କ ପ୍ରତି କାହାରି ଦରଦ ନଥାଏ । ଏହା ସହିତ ଶ୍ରମ ପାଇଁ ଏମାନେ ମୁଲଚାଲ କରିପାରନ୍ତି ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତିି
ଉପାସରକାର ୨୦୦୮ ମସିହାରେ ଅନଅର୍ଗାନାଇଜଡ୍ ୱାର୍କରସ୍ ସୋସିଆଲ ସିକ୍ୟୁରିଟି ଆକ୍ଟ ନାମରେ ଏକ ଆଇନ ପ୍ରଣୟନ କରିଥିଲେ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ତିନିବର୍ଷ ଲାଗିଗଲା । ଫଳତଃ ରାଜ୍ୟ ସରକାର ଏହି ବର୍ଗର ଶ୍ରମିକମାନଙ୍କୁ ଜୋତା, ଛତା ଓ ସାଇକେଲ ଦେଇ ଭୋଟ ବ୍ୟାଙ୍କ କରିବାରେ ଲାଗିପଡ଼ିଛନ୍ତି । ଗତ କରୋନା ସମୟରେ ଭାରତବର୍ଷରେ ଏହି ବର୍ଗର ଶ୍ରମିକମାନେ ବିଶେଷ ଭାବେର ଦରିଦ୍ରତା ଭିତରକୁ ଠେଲି ହୋଇଯାଇଛନ୍ତି । ସେଥିପାଇଁ କଂଗ୍ରେସ ଦଳ ପ୍ରତ୍ୟେକ ଶ୍ରମିକ ପରିବାରକୁ ୬୫୦୦ଟଙ୍କା ଦେବାପାଇଁ ଦାବି କରିଥିଲା । କିନ୍ତୁ ରାଜ୍ୟ ସରକାର ୧୫୦୦ ଟଙ୍କା ଦେଇ ବାହାବା ନେବାପାଇଁ ଚେଷ୍ଟା କରିଛନ୍ତି ।କିନ୍ତୁ ରାଜ୍ୟ ସରକାର ଯେଉଁ ୧୫୦୦ ଟଙ୍କା ଦେଉଛନ୍ତି ତାହା ତାଙ୍କ ନିଜସ୍ୱ ପାଣ୍ଠିରୁ ନୁହେଁ । ଏହି ଟଙ୍କା ସେସ୍‌ରେ ସଂଗୃହୀତ ଅର୍ଥ । ଗତ ୧୦ ବର୍ଷରେ ରାଜ୍ୟ ସରକାର ଏହି ସେସ ଟଙ୍କାକୁ ସାଇକେଲ କିଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ବ୍ୟୟ କରିଛନ୍ତି । ଯାହାର ହିସାବ ରାଜ୍ୟ ସରକାର ଶ୍ୱେତପତ୍ର ଆକାରରେ ରାଜ୍ୟବାସୀଙ୍କୁ ଜଣାଇବାକୁ କଂଗ୍ରେସ ଦଳ ଦାବି କରିଛି । ଡ. ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ରାଜ୍ୟରେ ତଥା କେନ୍ଦ୍ରରେ ଯେଉଁ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା କରାଯାଇଛି ଏହାର ଏକ ସମୀକରଣ ହେବାର ଆବଶ୍ୟକତା ରହିଛି । ରେଳବାଇରେ ଗୋଡି ବାଡଉଥିବା ଶ୍ରମିକଟିଏ ଯେଉଁ ପାରିଶ୍ରମିକ ପାଉଛି, ରାଜ୍ୟରେ ସେହି କାର୍ଯ୍ୟକୁ କରୁଥିବା ଶ୍ରମିକଟିଏ ତାହା ପାଉନାହିଁ । ସେହିଭଳି ମନରେଗାରେ ଯେଉଁ କାର୍ଯ୍ୟ କରୁଛି ତାହାର ମୂଲ୍ୟ ମଧ୍ୟ ଅଲଗା । ତେଣୁ କଂଗ୍ରେସ ଦଳ ଏକ ସର୍ବନିମ୍ନ ମଜୁରୀର ଧାର୍ଯ୍ୟ କରିବାପାଇଁ ସରକାରଙ୍କ ଠାରେ ଦୃଢ଼ ଦାବି କରିବା ସହିତ ଗତ ୧୦ ବର୍ଷରେ ସେସ୍ ଟଙ୍କା ଖର୍ଚ୍ଚର ଏ.ଜି ଅଡିଟ୍ କରିବାପାଇଁ ଦୃଢ଼ ଦାବି କରୁଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଅଣସଂଗଠିତ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମୁଖପାତ୍ର ମନୋରଞ୍ଜନ ଦାଶ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ