୧୧ଟି ବ୍ଲକରେ କ୍ରିକେଟର ଭିତ୍ତିଭୂମିର ବିକାଶ ନେଇ ଗୁରୁତ୍ବାରୋପ
ଗୁଣପୁର, (ୱାଇଏନଏସ) : ରାୟଗଡା ଜିଲ୍ଲା କ୍ରିକେଟ ଆସୋସିଏସନର ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କ୍ରିକେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ତ୍ରିନାଥ ଖାଡ଼ଙ୍ଗାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲାରେ କ୍ରିକେଟ ଖେଳିବା ଓ ପ୍ରଶିକ୍ଷଣ ପାଇଁ ଉନ୍ନତ ଭିତ୍ତିଭୂମିର ଘୋର ଅଭାବ ରହିଥିବାରୁ ଜିଲ୍ଲାର ସମସ୍ତ ୧୧ ଟି ବ୍ଳକର ଦୁର୍ବଳ ଭିତ୍ତି ଭୂମିର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥା ଗୁଡିକର ଦୃଷ୍ଟି ଆକର୍ଷଣ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି। ପ୍ରତିଭାବାନ କ୍ରିକେଟର ସୃଷ୍ଟି କରିବା ପାଇଁ ଗ୍ରାମାଞ୍ଚଳସ୍ତରରୁ କ୍ରିକେଟରଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିବାକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସ୍ତରରେ ୧୬ ବର୍ଷରୁ କମ ଓ ୧୯ ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥୁବା ଖେଳାଳୀମାନଙ୍କୁ ସଠିକ ସମୟରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ପାଇଁ ପ୍ରଶାସନିକ ସକ୍ରିୟତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ କ୍ରିକେଟ ପ୍ରଶିକ୍ଷଣ ସକାଶେ ଜିଲ୍ଲାର ବିଭିନ୍ନ ବ୍ଳକ ଅଂଚଳରେ ଥିବା ଖେଳ ପଡିଆ ଗୁଡିକୁ (ଷ୍ଟାଡିୟମ) ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ଆଗାମୀ ଦିନରେ ରାୟଗଡା ଜିଲ୍ଲାର କ୍ରିକେଟର ଓ କ୍ରିକେଟ ଖେଳ ପାଇଁ ଭିତ୍ତି ଭୂମିର ବିକାଶ ପାଇଁ କେତକ ପ୍ରସ୍ତାବ ଗୃହୀତ ହୋଇଛି। ସେଥିରେ ରାୟଗଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କ୍ରିକେଟ ଆସୋସିଏସନ କାର୍ଯ୍ୟାଳୟ ପାଇଁ ସ୍ଥାୟୀ ଗୃହ ଯୋଗାଇ ଦେବା ସହ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ନେଇ ଆଲୋଚନା ହୋଇଥିଲା। ଅତ୍ୟାଧୁନିକ ବହୁମୁଖୀ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଜିଲ୍ଲା ରେ ଥିବା ବହୁରାଷ୍ଟ୍ରୀୟ ଶିଳ୍ପ ସଂସ୍ଥା ଗୁଡିକର ସହଯୋଗ ମାଗିବାକୁ ନିଷ୍ପତି ନିଆଯାଇଛି। ସେହିପରି ପୁରୁଣା ବାଇଲରେ କିଛି ସମ୍ବିଧାନ ସଂଶୋଧନ ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା। ଏହି ଅଵସରରେ ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ସଚ୍ଚିଦାନନ୍ଦ ଖାଡ଼ଙ୍ଗା ବିବରଣୀ ଉପସ୍ଥାପନ କରି ବିଭିନ୍ନ ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ତ୍ରିପାଠୀ, ପୂର୍ବତନ ସମ୍ପାଦକ ଡ଼ଃ ନିରଞ୍ଜନ ବକ୍ସିପାତ୍ର, ହରିଶ ଠାକର, ପୃଥ୍ୱୀରାଜ ସାହୁ, କୀର୍ତ୍ତି ଚନ୍ଦ୍ର ସାହୁ, ଧବଳେଶ୍ୱର ନାଇଡ଼ୁ, ରାମାନୁଜ ମହାନ୍ତି, ଦେବୀ ପ୍ରସାଦ ପଟ୍ଟନାୟକ, ଆର କଲ୍ୟାଣୀ ଆଚାରୀ, ରମେଶ ଚନ୍ଦ୍ର ସାହୁ,ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। କ୍ରିକେଟ ଆସୋସିଏସନର ସଭାପତି ତଥା ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବୀନଚନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଶେକ ନାରିଲୁର, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସହକାରୀ ଲୋକ ସମ୍ପର୍କ ଅଧିକାରୀ ଦେବ ରାଜ ଟାକିରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର କ୍ରିକେଟର ବିକାଶ ଲାଗି ବରିଷ୍ଠ ସଦସ୍ୟ କୀର୍ତ୍ତି ଚନ୍ଦ୍ର ସାହୁ ପ୍ରଶାସନ ନିକଟରେ ବିଭିନ୍ନ ପ୍ରସ୍ତାବ ରଖିଥିବାବେଳେ ପୃଥ୍ୱୀରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


