ଆଦାନିକୁ ଜଳ ଦେବା ପ୍ରକଳ୍ପ କାର୍ଯ୍ୟ ବାତିଲକର ଓ ଅନ୍ୟାୟ ଗିରଫଦାରୀ ବନ୍ଦକର – ମିଳିତ ବୀରୋଧିଦଳ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଜୀବନରେଖା ଖରସ୍ରୋତାର ଜଳକୁ ରାଜ୍ୟ ସରକାର ଚଞ୍ଚକତା କରି ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଦେବା ନାଁରେ ଆଦାନୀର ଶିଳ୍ପ ସଂସ୍ଥାକୁ ଜଳ ଯୋଗାଇବା ପାଇଁ ଯେଉଁ ମସୁଧା କରିଛନ୍ତି ଦୀର୍ଘଦିନ ଧରି ରାଜକନିକା ଓ ଆଳି ସମେତ ଜିଲ୍ଲାର ଜନସାଧାରଣ ତୀବ୍ର ବିରୋଧ କରି ଆସୁଛନ୍ତି । ପ୍ରକାଶ ଥାଉକି ଦୀର୍ଘ ୨ବର୍ଷ ହେଲା ଖରସ୍ରୋତା ପାଣିକୁ ସ୍ଥାନାନ୍ତର ନକରିବା ପାଇଁ ବ୍ୟାପକ ଜନଆନ୍ଦୋଳନ ଚାଲୁଥିବା ବେଳେ ମଙ୍ଗଳବାର ସକାଳେ ଜିଲ୍ଲା ପ୍ରଶାସନ ସଂପୃକ୍ତ ସ୍ଥାନକୁ ପୋଲିସ ଛାଉଣୀରେ ପରିଣତ କରି ୧୪୪ଧାରା ଜାରି କରିବା ସହିତ ଆନ୍ଦୋଳନରତ ଶତାଧିକ ଆନ୍ଦୋଳନକାରୀଙ୍କୁ ଅନ୍ୟାୟ ଭାବରେ ଗିରଫ କରି ପଟ୍ଟାମୁଣ୍ଡାଇସ୍ଥିତ କଷଣଅଂଟାର ଏକ ଅସ୍ଥାୟୀ ଜେଲରେ ଆଣି ରଖିଛି । ଜିଲ୍ଲାରେ ଜଳ ସଂକଟ ଥିବାବେଳେ ଖରସ୍ରୋତାର ପ୍ରବାହିତ ଜଳକୁ ଜିଲ୍ଲାବାସୀଙ୍କ ବିକାଶ ଓ ବ୍ୟବହାର ପାଇଁ କୈାଣସି ମାଷ୍ଟର ପ୍ଲାନ ନଥିବା ବେଳେ ରାଜ୍ୟ ସରକାର ଅନ୍ୟାୟ ଭାବେ ଯେଉଁଭଳି ଆଦାନୀକୁ ଦେବାପାଇଁ ମସୁଧା କରୁଛନ୍ତି ତାହା ଜିଲ୍ଲାବାସୀଙ୍କ ସଂକଟକୁ ଆହୁରି ତୀବ୍ର କରିଦେବ । ଖରସ୍ରୋତାର ମଧୁର ଜଳ ଚାଲିଗଲା ପରେ ସମୁଦ୍ରର ଲୁଣାପାଣି ଆଳି କନିକାର ଉପର ମୁଣ୍ଡକୁ ଚାଲି ଆସିବ । ଫଳରେ ସଂପୂର୍ଣ୍ଣ ଆଳି କନିକା ଲୁଣା ଅଂଚଳରେ ପରିଣତ ହୋଇଯିବ । ଅନ୍ୟ ପକ୍ଷରେ ମଧୂର ଜଳ କମିଗଲେ ଭିତରକନିକା ହେନ୍ତାଳବଣ ଉପରେ ତା’ର କି ପ୍ରଭାବ ପଡିବ ସେ ସମ୍ପର୍କରେ କୋଣସି ଏକ୍ସପୋର୍ଟ କମିଟିର ମତାମତ ନିଆଯାଇନଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ତରବରିଆ ଭାବରେ ଆଦାନିକୁ ଜଳ ଦେବା ପାଇଁ ଯେଉଁଭଳି ଅନ୍ୟାୟ ଗିରଫଦାରୀ କରୁଛନ୍ତି ତାହା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଭିତିରି ଉଦେଶ୍ୟକୁ ପଦାରେ ପକାଇ ଦେଇଛି । ଏ ସରକାର ସାଧାରଣ ଜନତାଙ୍କ କଥା ଚିନ୍ତା ନକରି ଭିତିରିଆ ଆଦାନି ଭଳି କମ୍ପାନୀଙ୍କ କଥା ଚିନ୍ତା କରିବା ଲୋକଙ୍କ ପ୍ରତି ପ୍ରତାରଣା କରୁଥିବା କଥାକୁ ପ୍ରମାଣିତ କରିଛି । କୈାଣସି ଚିନ୍ତା ନକରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତଥା କଥିତ ବିକାଶ ନାଁରେ ବିନାଶକୁ ଡାକି ଆଣିବାର ଏହା ଚାକ୍ଷ୍ୟୁଷ ପ୍ରମାଣ । ଏଣୁ ଏହି ଭୁଲ ନିଷ୍ପତିରୁ ଓହରିବା ସହିତ ତୁରନ୍ତ ଖରସ୍ରୋତା ନଦୀର ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ସହ ଜୋର ଜବରଦସ୍ତ ପାଣି ନେବାପାଇଁ ପୋଲିସ ଛାଉଣୀକୁ ପ୍ରତ୍ୟାହାର କରାଯିବା ଏବଂ ଅନ୍ୟାୟ ଗିରଫଦାରୀକୁ ବନ୍ଦ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍), ସିପିଆଇ, ସି ପି ଆଇ(ଏମ.ଏଲ)ଲିବେରେସନ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ମିଳିତ ଭାବେ ଦାବି କରାଯାଇଛି । ଭାରତୀୟ ଜାତୀୟ କଂଗ୍ରେସର ନେତା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ସିପିଆଇ(ଏମ)ର ଜିଲ୍ଲା ସଂପାଦକ ଗୟାଧର ଧଳ, ଜଗତଜୀବନ ଦାଶ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ସିପି ଆଇ(ଏମ.ଏଲ) ଲିବେରେସନର ଜିଲ୍ଲା ସଂପାଦକ ବିଧାନ ଦାସ ପ୍ରମୁଖ ଏହି ଗିରଫଦାରୀ ଓ ଅନ୍ୟାୟ ପ୍ରକଳ୍ପ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଜନ ବିରୋଧୀ ନିଷ୍ପତିରୁ ତୁରନ୍ତ ଓହରିଯିବା ପାଇଁ ଦୃଢ ଦାବି ଜଣାଇଛନ୍ତି । ଏଥି ସହିତ ପୋଲିସ ଛାଉଣୀ ପ୍ରତ୍ୟାହାର କରିବା ଓ ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି । ନଚେତ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଜିଲ୍ଲାକୁ ଅଚଳ କରିଦେବାକୁ ମିଳିତ ବିରୋଧିଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।


