ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସାମ୍ଭାବ୍ୟ କୋଭିଡ୍ ସଂକ୍ରମଣର ୩ୟ ଲହରକୁ ଆଖି ସାମ୍ନାରେ ରଖି ରାଜ୍ୟବାସୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଯଥାଶୀଘ୍ର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବିଜେପି ସାଂସଦମାନେ ଆଜି ଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ଲାଲ୍ ମାଣ୍ଡଭିୟଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନିତେଶ ଗଙ୍ଗଦେବ ପ୍ରମୁଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ ।ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ଦେଶର ପାଖାପାଖି ୧୩.୪୪ କୋଟି ପରିବାର ତଥା ୬୫ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି ।ଗତ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଶୁଭାରମ୍ଭ କରିଛନ୍ତି ଏବଂ ଏହା ଦ୍ୱାରା ଦାଦନ ଶ୍ରମିକଙ୍କ ସମେତ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ପ୍ରବାସୀଙ୍କ ପାଇଁ ବେଶ ଫଳପ୍ରଦ । ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରୀ ହେବାର ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ଓଡିଶାରେ ଏହାକୁ କାର୍ଯ୍ୟକାରୀ ନକରିବାରୁ ରାଜ୍ୟର ପ୍ରାୟ ୬୦ ଲକ୍ଷ ହିତାଧିକାରୀ ସୁଲାଭ ପାଇବାରୁ ବଂଚିତ ହୋଇଛନ୍ତି । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିଥିବା ରାଜ୍ୟମାନଙ୍କରେ ସ୍ୱାସ୍ଥ୍ୟ ବୀମା ୮୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ୧୨ ପ୍ରତିଶତ ହ୍ରାସ ପାଇଛି । ସେହିପରି ଶିଶୁ ମୃତ୍ୟୁ ହାର ୧୯ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ଏହା ୨୦ ପ୍ରତିଶତରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଆଧାରରେ ଓଡିଶାରେ ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫୯ ଶଯ୍ୟା ରହିଛି । ସ୍ୱାସ୍ଥ୍ୟ ଭିତିଭୂମିରେ ଓଡିଶାର ବହୁ ପଛରେ ଅଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ ମାରିଛି । ବର୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା ସଠିକ କାର୍ଯ୍ୟକାରୀ ହେବାରେ ବିଫଳ ହୋଇଛି । ରାଜ୍ୟର ଉପାନ୍ତ ଅଂଚଳବାସୀ ସହରକୁ ଆସି ଚିକିତ୍ସା ସୁବିଧା ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ଗ୍ରାମାଂଚଳର ପାଖାପାଖି ୩୩.୪୫ ପ୍ରତିଶତ ବାହାରକୁ ଯାଇ କାମଧନ୍ଦା କରୁଛନ୍ତି । ପ୍ରାୟ ୨୫ ଲକ୍ଷ ଓଡିଆ ବାହାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆମାନେ ଉପକୃତ ହେଉଥିବାବେଳେ, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରବାସୀ ଶ୍ରମିକ ଓ ପ୍ରବାସୀ ଓଡିଆ ସର୍ବାଧିକ ଉପକୃତ ହୋଇପାରିବେ ବୋଲି ବିଜେପି ସାଂସଦମାନେ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ