କେନ୍ଦୁଝରରେ ପୁଣି ଏକ ଗଜରାଜଙ୍କ ମୃତ୍ୟୁ
କେନ୍ଦୁଝର , (ୱାଇଏନ୍ଏସ୍): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବିଜେପି ରେଞ୍ଜ (ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ) ଅଂଚଳରେ ପୁଣି ଏକ ଗଜରାଜର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ବିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଗତ କାଲି ମୃତ ଅବସ୍ଥାରେ ଏହି ମାଇ ଗଜରାଜଙ୍କୁ ଠାବ କରାଯାଇଛି । ଅନୁରପ ଭାବେ ଗତ ୭ ତାରିଖ ଦିନ ତଳଚମ୍ପେଇ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଅସୁସ୍ଥ ଅବସ୍ଥାରେ ଏକ ମାଇ ଗଜରାଜକୁ ଗ୍ରାମବାସୀମାନେ ଠାବ କରି ବନ ବିଭାଗକୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଚିକିତ୍ସିକ ଦଳ ସହ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଅସୁସ୍ଥ ହାତୀ ପାଖରେ ପହଂଚି ତାର ଚିକିତ୍ସା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । ଶେଷରେ ଆଖି ବୁଜିଥିଲେ ଗଜରାଜ । କିନ୍ତୁ ଗଜରାଜଙ୍କର ମୃତ୍ୟୁର କାରଣ ଖୋଜିବାକୁ ବନ ବିଭାଗ ଆଗ୍ରହ ପ୍ରକାଶ ନକରି ନିଜେ ସ୍ପଷ୍ଟ ଭାବେ ଦେଖିଥିବା ଭଳି ପାହାଡ ରୁ ଖସି ଗଜରାଜଙ୍କର ମୃତ୍ୟୁ ହୋଇଥିବା କହି ନିଜର ଦାୟିତ୍ୱ ସାରିଦେଲେ । ସେହି ଘଟଣାର ମାତ୍ର ତିନି ଦିନ ପରେ ଗତ କାଲି ଅପରାହ୍ନରେ ଆଉ ଏକ ମାଇ ଗଜରାଜଙ୍କର ମୃତ ଦେହ ଠାବ ହୋଇଛି । ସମସ୍ତ ବିଷୟ ସଂପର୍କରେ ବନ ବିଭାଗର ଏସିଏଫଓ ଙ୍କ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ବ୍ୟସ୍ତ ଥିବା କହି ଫୋନ କାଟି ଦେଇଥିଲେ । ଯାହା କି ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ସ୍ୱଭାବିକ ଭାବେ ପ୍ରଶ୍ନ ଚିହ୍ନ ଲଗାଇଅଛି । ଗତ ଜୁଲାଇ ୧୯ ତାରିଖରେ ମଧ୍ୟ ସେହି ବିଜେପି ରେଞ୍ଜର ବାଂଶପାଳ ଅଂଚଳରେ ଏକ ମାଇ ଗଜରାଜ ସହ ଛୁଆ ଗଜରାଜର ମୃତ୍ୟୁ ହୋଇଥିଲେ ସେହି ମୃତ୍ୟୁର କାରଣ ଖୋଜିବାରେ ବନ ବିଭାଗ ଅଦ୍ୟବଧି ବି ସଫଳ ହୋଇପାରି ନାହିଁ । ଗତ ଏକ ମାସ ମଧ୍ୟରେ ଜିଲ୍ଲାରେ ୪ (ଚାରି) ଗଜରାଜଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଖୋଜିବାରେ କେନ୍ଦୁଝର ବନ ବିଭାଗ ଅସଫଳ ହୋଇଛି । ଯେଉଁଥି ପାଇିଁ ସେହି କାରଣ ଖୋଜିବାକୁ ଭୂବନେଶ୍ୱର ରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଟିମ୍ କେନ୍ଦୁଝର ରେ ଆଜି ଆସି ପହଂଚିଛନ୍ତି । କେନ୍ଦୁଝର ଡିଏଫଓ ଙ୍କ ଦାୟିତ୍ୱ ରେ ଥିବା ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ଙ୍କର କହବା କଥା ହେଲା ଯେ ଗଜରାଜ ମାନଙ୍କର କଣ ପାଇିଁ ମୃତ୍ୟୁ ବରଣ କରୁଛନ୍ତି , କଣ ପାଇ ଏପରି ନିୟମିତ ହେଉଛି ତାର ଉଚ୍ଚ ସ୍ଥରୀୟ ତଦନ୍ତ ର ଆବଶ୍ୟକତା ରହିଛି । ତେଣୁ ଆଜି ଭୂବନେଶ୍ୱ ସ୍ଥିତ ଭେଟନାରୀ କଲେଜର ସେନ୍ଟର ଫର ଓ୍ୟାଇଲ୍ଡ ଲାଇଫ ହେଲ୍ଥ ବିଭାଗ ସହ ଫୁଲନଖରା ସ୍ଥିତ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ର ବିଶେଷଜ୍ଞ ମାନେ କେନ୍ଦୁଝର ରେ ପହଂଚିଥିବା ବେଳେ ତାଙ୍କ ସହ କେନ୍ଦୁଝର ସିଡିଭିଓ ଙ୍କର ଏକ ଟିମ୍ ମିଶି ଗଜରାଜଙ୍କର ମୃତ୍ୟୁ ର ଘଟଣା ସ୍ଥଳ ପରିଦର୍ଶନ କରି ମୃତ୍ୟୁର କାରଣ ଖୋଜିବେ । କେନ୍ଦୁଝର ଜିଲ୍ଲା ରେ ବର୍ତମାନ ପ୍ରାୟ ୧୦୦ ରୁ ଉର୍ଦ୍ଦ ଗଜରାଜଙ୍କର ଚଳ ପ୍ରଚଳ ରହିଥିବା ବେଳେ ବିଜେପି ରେଞ୍ଜ ମଧ୍ୟରେ ମଧ୍ୟ ପ୍ରାୟ ୨୫ ଗଜରାଜ ଚଳ ପ୍ରଚଳ କରୁଥିବା ସୂଚନା ମିଳିଛି । ଏହି ସମଗ୍ର ଘଟଣାରୁ କେନ୍ଦୁଝର ଜିଲ୍ଲାରେ ଯେ ଗଜରାଜଙ୍କର ଜୀବନ ସଙ୍କଟରେ ତାହା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି ।