୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା : ହକି ଖେଳାଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏ ନେଇ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିବା ସହ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଲ ରକ୍ଷା ପାଇଁ ଗୋଲକିପର ସବିତା ପୁଣିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ଭାବେ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁଶୀଳା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ । ଗୁରଜିତ କୌର ଏବଂ ବନ୍ଦାଣ କାଟେରିଆଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ଅଧିକ ଗୋଲ ରକ୍ଷା କରିଥିବାରୁ ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ଲକ୍ଷ, ହରମନ ପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ ଫିଲଡ଼ରେ ଭଲ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହିଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଏଥିସହ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ଦଳର ସହଯୋଗୀ କାର୍ଯ୍ୟକର୍ତାଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।


