ଚର୍ଚ୍ଚାରେ ୟେଦୁରପ୍ପାଙ୍କ ଲିକ୍ ଭିଡିଓ ବିଧାୟକଙ୍କ ବିଦ୍ରୋହ ପଛରେ ଅମିତ ଶାହ!
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ଏକ ଭିଡିଓ କ୍ଲିପକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି । ବୁଧବାର ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଏହି ଭିଡିଓ ରେକର୍ଡିଂ କରାଯାଇଥିଲା । ଏଥିରେ ୟେଦୁରପ୍ପା କହୁଥିବା ଶୁଣାଯାଉଛି ଯେ ନିକଟରେ କଂଗ୍ରେସ ଏବଂ ଜେଡିଏସର ବିଧାୟକଙ୍କ ବିଦ୍ରୋହ ପରେ ସେମାନଙ୍କୁ ଦଳ ସଭାପତି ଅମିତ ଶାହଙ୍କ ନିଷ୍ପତ୍ତିକ୍ରମେ ମୁମ୍ବାଇର ଏକ ହୋଟେଲରେ ରଖାଯାଇଥିଲା । ବିଜେପିର ସବୁ ବିଧାୟକ ବିଦ୍ରୋହୀ ବିଧାୟକଙ୍କ ପ୍ରତି ସମର୍ଥନ ଜାରି ରଖିବା ଆବଶ୍ୟକ, କାରଣ ସେମାନଙ୍କ ପାଇଁ ହିଁ ବିଜେପି ପୁଣି କ୍ଷମତାକୁ ଆସିଛି ବୋଲି ୟେଦୁରପ୍ପା କହୁଥିବା ଏହି କ୍ଲିପରେ ଶୁଣାଯାଉଛି । ମୋବାଇଲରେ ରେକର୍ଡିଂ ହୋଇଥିବା ୭ ମିନିଟର ଏହି ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ଆଲୋଡ଼ନ ଦେଖାଦେଇଛି । “ବିଦ୍ରୋହୀ ବିଧାୟକଙ୍କୁ ମୁମ୍ବାଇରେ ରଖାଯିବା ମୋର ନିଷ୍ପତ୍ତି ନଥିଲା, ଏହା ଦଳ ସଭାପତିଙ୍କ ନିଷ୍ପତ୍ତି ଥିଲା’ ବୋଲି ୟେଦୁରପ୍ପା କହିବା ସହ ବିଦ୍ରୋହୀ ବିଧାୟକଙ୍କୁ ବିଜେପି ସବୁ ସମର୍ଥନ ଦେବ ବୋଲି କହିଥିବା ଶୁଣାଯାଉଛି । ଏହା ଭିଡିଓ କ୍ଲିପ୍ ଦ୍ୱାରା ବିଜେପିର “ଅପରେସନ୍ କମଳ’ ବାବଦରେ ସବୁ କଥା ପଦାରେ ପଡ଼ିଯାଇଛି ବୋଲି କଂଗ୍ରେସ ଏବଂ ଜେଡିଏସ୍ ନେତାମାନେ କହିଛନ୍ତି । ୟେଦୁରପ୍ପା ମଧ୍ୟ ଏହି ଭିଡିଓରେ ନିଜ ଉପସ୍ଥିତି ଏବଂ ସ୍ୱରକୁ ଖଣ୍ଡନ କରିନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି ଯେ ବିଜେପି ହିଁ ତାଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିଲା ଏବଂ ପୂର୍ବରୁ ମଧ୍ୟ ଏଭଳି ଏକ କ୍ଲିପ୍ ଅଦାଲତଙ୍କ ବିଚାରାଧୀନ ରହିଛି । ଏବେ ଜାରି ହୋଇଥିବା କ୍ଲିପକୁ ଅଦାଲତରେ ଆଉ ଏକ ବଳିଷ୍ଠ ପ୍ରମାଣ ଭାବେ ଦାଖଲ କରାଯିବ ବୋଲି ସେ କହିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ୟେଦୁରପ୍ପା ଅନୈତିକ ଉପାୟରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ପତନ ଘଟାଇ ନିଜେ କ୍ଷମତାକୁ ଆସିଛନ୍ତି ଏବଂ ଏ ଦିଗରେ ସବୁ ପ୍ରମାଣ ମହଜୁଦ ରହିଛି । ବିଧାୟକଙ୍କୁ ମୁ୍ମ୍ବାଇରେ ଦେଢ଼ ମାସ ଧରି ଅମିତ ଶାହଙ୍କ ନିର୍ଦ୍ଦେଶରେ ହିଁ ରଖାଯାଇଥିଲା ବୋଲି ସେ କହିଛନ୍ତି ।