ବୁଆଁଳ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା): କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ କେନ୍ଦ୍ରୀୟ ଯୋଜନା ଜଳ ଜୀବନ ମିଶନରେ ସଦର ବ୍ଲକ ବୁଆଁଳ ପଞ୍ଚାୟତ ବେଲବାରିଆର ଦୁଇଟି ସ୍ଥାନରେ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବୁଆଁଳ ସରପଞ୍ଚ ଶ୍ରୀକାନ୍ତ ମହାପାତ୍ର ଓ ସମିତି ସଭ୍ୟ ରବିନାରାୟଣ ମହାପାତ୍ର ଯୋଗଦେଇ ଦୁଇପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗ୍ରାମବାସୀମାନେ ନିଜ ଘରେ ବସି ପାଇପ ଯୋଗେ ପାନୀୟ ଜଳ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଘରକୁ ପାଣି ଯୋଗାଇବାର ସ୍ୱପ୍ନ ସାକାର ହେବ ବୋଲି ଅତିଥିମାନେ ମତ ଦେଇଥିଲେ । ୧.୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଦୁଇ ପ୍ରକଳ୍ପର ହଜାରେରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ବିନିତା ଜେନା, ପୂର୍ବତନ ସମିତି ସଭ୍ୟ କରୁଣାକର ମହାଳିକ, ୱାର୍ଡ ସଭ୍ୟ କମଳାକାନ୍ତ ନାଏକ, କାଳିଚରଣ ପଣ୍ଡା, ଶଶଧର ମହାନ୍ତି, ମାୟାଧର ଜେନା, ଟୁଟୁ ଜେନା, ଶରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


