ବ୍ୟବସ୍ଥାଗତ ତୃଟି ବିଧବା ରାଧିକା ପାଇଁ ପକ୍କାଗୃହ ସାତସପନ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ପକ୍କାଗୃହ ଆବଣ୍ଟନରେ ବିଶେଷ ଗୁରୁତ୍ୱ ଦେଉଥିବାବେଳେ ଅନେକ ଜାଗାରେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ସାଧାରଣତଃ ଗ୍ରାମାଞ୍ଚଳ ମାନଙ୍କରେ କେହି ଚାଳ ଘରେ ରହିପାରିବେ ନାହିଁ ବୋଲି ସରକାର ଘୋଷଣା କରିଥିବାବେଳେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଖଣ୍ଡିଏ ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି । ହେଲେ ଏଥିପାଇଁ ବ୍ୟବସ୍ଥା ହୋଇଥିବା ଆଇନକାନୁନ ଯୋଗୁ ପ୍ରକୃତ ହିତାଧିକାରୀ ଗୃହ ଖଣ୍ଡେ ପାଇବାରୁ ବଞ୍ଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । ସୂଚନା ଅନୁସାରେ ଭଣ୍ଡାରପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ଗ୍ରାମର ପଞ୍ଚାନନ ଜେନାଙ୍କୁ ୮/୧୦ବର୍ଷ ପୂର୍ବରୁ ପକ୍କାଗୃହ ନିର୍ମାଣ ପାଇଁ ୪୫ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେତେବେଳେ ଏନେଇ ହିତାଧିକାରୀଙ୍କୁ ଅଗ୍ରିମ ୫ହଜାର ମଧ୍ୟ ପ୍ରଶାସନ ଦେଇଥିଲା । ହେଲେ ପଞ୍ଚାନନ ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବାରୁ ସେ ଅଗ୍ରିମ ଅର୍ଥରେ ପକ୍କାଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିନଥିଲେ । ଇତିମଧ୍ୟରେ ପଞ୍ଚାନନଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଘରେ ଏବେ ବିଧବା ପତ୍ନୀ ରାଧିକା ଜେନାଙ୍କ ସହିତ ଦୁଇଗୋଟି ନାବାଳକ ପୁଅଝିଅ ଅଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ରାଧିକାଙ୍କୁ ବିଧବା ଭତ୍ତା ଓ ରାସନକାର୍ଡରେ ଚାଉଳ ଗଣ୍ଡେ ମିଳୁଥିବାରୁ ପୂର୍ବବତଃ ସେ ନୁଆଣିଆ ଚାଳଘରେ ବସବାସ କରୁଛନ୍ତି । ରାଧିକା ପକ୍କାଗୃହ ଖଣ୍ଡେ ପାଇଁ ସରପଞ୍ଚଙ୍କୁ ଜଣାଇଥିଲେ ସୁଦ୍ଧା ସ୍ୱାମୀଙ୍କ ଭୁଲ ପାଇଁ ସେ ଆଉ ଘର ପାଇବେ ନାହିଁ ବୋଲି ତାଙ୍କୁ ଜଣାଯାଇଛି । ସେଠୁ ନିରାଶ ହେବା ପରେ ଆଜି ଦରଖାସ୍ତ ଖଣ୍ଡେ ଧରି ବିଡିଓଙ୍କୁ ଭେଟିବାକୁ ଆସିଥିଲେ ସୁଦ୍ଧା ଅଧିକାରୀଙ୍କ ଦେଖା ମିଳିବା ସମ୍ଭବ ହୋଇନଥିଲା । ପରିଶେଷରେ ଆବେଦନ ବାକ୍ସରେ ନୂତନ ପକ୍କାଗୃହ ପାଇଁ ବିଧବା ରାଧିକା ଦରଖାସ୍ତ ଖଣ୍ଡିଏ ପକାଇଥିବା ଜଣାଯାଇଛି । ସେ ଯାହାବି ହେଉ ସାଧାରଣ, ଗରୀବ, ଶ୍ରମିକ, ଭାଗଚାଷୀ ପରିବାର ପାଇଁ ସରକାରୀ ବାସଗୃହ ଏକାନ୍ତ ଆବଶ୍ୟକ ଥିବାବେଳେ ଏଦିଗରେ ପ୍ରଚଳିତ ଆଇନବ୍ୟବସ୍ଥା ସରଳିକରଣ ନଥିବାରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଜଣାପଡିଛି । ଏଥିପ୍ରତି ବିଭାଗ ଦୃଷ୍ଟିନଦେଲେ ଯୋଜନା ଫଳବତି ହେବା ଅସମ୍ଭ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ