ବାଲି ସୈରାତ ନିଲାମ ରଦ୍ଦ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବ୍ଲକ ଦେଇଯାଇଥିବା ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ପାଖାପାଖି ୧୦/୧୫ବର୍ଷ ହେବ ବେଆଇନ ଭାବେ ବାଲି ଚାଲାଣ ହେଉଛି । ବିଶେଷକରି ବନ୍ଦାଳୋ-ମଢିଆଳୀ, ଝୁଟୁଣା, ବନସ୍ତା ନେରଡା, ଜଗନ୍ନାଥପ୍ରସାଦ, କୁମ୍ଭାରିଆ ଓ ମଣିନାଥପୁର ଠାରୁ ଦୈନନ୍ଦିନ ଟ୍ରାକ୍ଟର ଓ ଟ୍ରକରେ ଶହଶହ ଟ୍ରିପ ବାଲିଚାଲାଣ ହୋଇଥାଏ । ସ୍ଥାନୀୟ ଗାଡିମାଲିକ ଓ ଗ୍ରାମ୍ୟ କୁଜିନେତା ସାମିଲ ହୋଇ ଉକ୍ତ ବେପାରକୁ ବର୍ଷାନୁକ୍ରମିକ କରିଆସୁଛନ୍ତି । ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବେଆଇନ ବାଲିଚାଲାଣ ରୋକିବା ପାଇଁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାବେଳେ କାଁଭାଁ ବାଲିଗାଡି ଗୁଡିକ ଉପରେ ଜୋରିମାନା ଆଦାୟ ଓ ମାମଲା ରୁଜ୍ଜୁ ହୋଇଥାଏ । ବେଆଇନ ଚାଲାଣ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚଳିତବର୍ଷ ରାଜସ୍ୱ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ଏଦିଗରେ ଅଣ୍ଟା ଭିଡିଥିଲା । ପ୍ରଥମେ ଝୁଟୁଣା ଓ ଜଗନ୍ନାଥପ୍ରସାଦ ବାଲି ସୈରାତକୁ ନିଲାମ ଦେଇଥିବାବେଳେ ତାହା ଏବେ ଆଇନର ଜାଲରେ ଛନ୍ଦିହୋଇଯାଇଛି । ଫଳରେ ନିଲାମଧାରୀ ମାନେ ଏଯାଏଁ ବାଲି ଉତ୍ତୋଳନ କରିପାରୁନାହାଁନ୍ତି । ପରେ ବୈତରଣୀ ନଦୀର ମଣିନାଥପୁର ଘାଟକୁ ନିଲାମ ଡକାଯାଇଥିବାବେଳେ ବ୍ୟବସ୍ଥାଗତ ତୃଟି ଓ ନିଲାମଧାରୀଙ୍କ ଆବଶ୍ୟକୀୟ କାଗଜପତ୍ର ଠିକ ନହେବାରୁ ତାହା ମଧ୍ୟ ରଦ୍ଦ ହୋଇଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ପ୍ରଶାସନିକ ସ୍ତରରେ କିଛି ତୃଟି ଯୋଗୁ ନିଲାମ ଠିକ ହେଉନଥିବାବେଳେ ଏହାର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ମଧ୍ୟ ବେପାର ବୃଦ୍ଧି କରିଚାଲିଛନ୍ତି । ତେଣୁ ଏଦିଗରେ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟିଦେଇ ବାଲି ନିଲାମ ବାବଦୀୟ ଆଇନକାନୁନକୁ ତର୍ଜମା କରିବା ସହ ଏଦିଗରେ ସରଳିକରଣ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ