ସାର ପାଇଁ କୃଷି କାର୍ଯ୍ୟାଳୟ ଘେରିଲେ ନବ ନିର୍ମାଣ କୃଷକ ସଙ୍ଗଠନ
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ବ୍ଳକରେ ଠିକ ସମୟରେ ଚାଷୀମାନଙ୍କୁ ସାର ଯୋଗାଇ ଦିଆଯାଉ ନଥିବା ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର କୃଷି କାର୍ଯ୍ୟାଳୟ ଘେରାଇ କରାଯାଇଥିଲା । ଠିକ ସମୟରେ ବିଭାଗ ପକ୍ଷରୁ ସାର ଯୋଗାଇ ଦିଆଯାଇ ନଥିବା ବେଳେ ଚାଷୀମାନେ ବିଭିନ୍ନ ସମବାୟ ସମିତି ସମ୍ମୁଖରେ ଦୀର୍ଘ ସମୟ ଅପେକ୍ଷା କରି ସାର ନପାଇ ଫେରିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ ପ୍ରକାଶ କରିଛନ୍ତି । ସହ ସଂଯୋଜକଙ୍କ ସୂଚନା ମୁତାବକ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କ ନିୟମାନୁସାରେ ଶୁକ୍ରବାରରେ ପ୍ରତି ସେବା ସମବାୟ ସମିତି ମାଧ୍ୟମରେ ୟୁରିଆ ସାର ବଂଟନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ସାର ନେବା ପାଇଁ ଚାଷୀମାନେ ଚାଷ କାର୍ଯ୍ୟ ଛାଡି ଲମ୍ଭା ଧାଡିରେ ଠିଆ ହୋଇଥିବା ବେଳେ ସାର ପ୍ରଦାନ କରାଯାଇନଥିଲା । ଏହା ସହିତ ଯେତିକି ପରିମାଣର ସାର ଉକ୍ତ ବ୍ଳକରେ ଆବଶ୍ୟକ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆଯାଉ ନାହିଁ । ଯାହାଫଳରେ ଠିକ ସମୟରେ ଚାଷୀ ଧାନରେ ସାର ନ ପକାଇ ପାରିଲେ ଅମଳ ପ୍ରଭାବିତ ହେବାର ଆଶଙ୍କା ରହିଥିବା ସହ ସଂଯୋଜକ ଶ୍ରୀ ସ୍ୱାଇଁ ମତ ପ୍ରକାଶ କରିଥିଲେ । ପରେ ବ୍ଳକ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ଘେରାଉ କରିଥିବା ସଦସ୍ୟଙ୍କ ସହ ଆଲୋଚନା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ ଏହି ବ୍ଳକରେ ୭ହଜାର ୩୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି । ସାର କଳା ବଜାରକୁ ରୋକିବା ପାଇଁ ୬ଟି ସେବା ସମବାୟ ସମିତିକୁ ସାର ପ୍ରଦାନ କରାଯାଇଛି । ପ୍ରତି ସୋସାଇଟକୁ ୨୨୨ପ୍ୟାକେଟ ଅନୁସାରେ ୧୩୩୨ ପ୍ୟାକେଟ ୟୁରିଆ ଯୋଗାଇ ଦିଆଯାଇଛି । ଏ ବିଷୟରେ ବ୍ଳକ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ପଚାରିବାରୁ ସେବା ସମବାୟ ସମିତି ମାଧ୍ୟମରେ ସାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ଯାନ୍ତ୍ରିକ ତୃଟି ଯୋଗୁ ଚାଷୀଙ୍କୁ ସାର ଦିଆଯାଇପାରିଲା ନାହିଁ । ପରବର୍ତି ସମୟରେ ଏପରି ଅସୁବିଧା ହେବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।


