ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖର ଗ୍ରାମର ଜଣେ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ହଠାତ ମୃତ୍ୟୁ ଘଟିଛି। ପରିବାର ପକ୍ଷରୁ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ତାଙ୍କ ବଡ ଭାଇ ଛବିନ୍ଦ୍ର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ କବି ସେଠୀ(୪୩)। ବଡ ଭାଇ ଛବିନ୍ଦ୍ରଙ୍କ ଅଭିଯୋଗ ମୁତାବକ କବି ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ପ୍ରତ୍ୟେହ ସେ ନାଉଗାଁ ବଜାରରେ ଥିବା ଲକ୍ଷ୍ମୀ ଟେଡ୍ରସରେ କାର୍ଯ୍ୟ କରନ୍ତି। ଶନିବାର ୯ ଘଟିକା ସମୟରେ ଚୋକଡ ଗାଡିରେ ଚୋକଡ ନେଇ ବଛାଳୋ ଗ୍ରାମକୁ ଯାଇଥିଲେ। ଅତ୍ୟଧିକ ଗୁଳୁଗୁଳି ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ମୁଣ୍ଡ ବୁଲାଇଥିଲା। ନିକଟରେ ଥିବା ଘରେ ସେ ବସି ଯାଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଏ ପାରେ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନାଧିକାରୀ ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ