ମରୁଡି ଘୋଷଣା ସହ ଚାଷୀଙ୍କୁ ଫସଲବୀମା ରାଶି ପ୍ରଦାନ ଦାବି: ବିଜେପି
ଛତ୍ରପୁର, (ଦେବଦତ୍ତ ମହାରଣା) : ବର୍ଷା ଅଭାବରୁ ଚାଷଜମି ଫାଟି ଆଁ ହେଲାଣି । ଧାନଗଛ ସବୁ ଜଳି ଗଲାଣି । ଚାଷ ଜମି ଗୁଡିକରେ ପାଣି ଅଭାବରୁ ମରୁଡି ପରିସ୍ଥିତି ଦେଖାଦେଇଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ମରୁଡି ମୁହାଁ ହୋଇଛି ଗଞ୍ଜାମ ଜିଲ୍ଲା । ନିଅଣ୍ଟିଆ ବର୍ଷା ସଙ୍ଗକୁ ଫେଲ ମାରିଛି ଜଳସେଚନ । ଏଭଳି ସ୍ଥିତିକୁ ଶନିବାର ବିଜେପିର ରାଜ୍ୟସ୍ତରୀୟ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲି ଅନୁଧ୍ୟାନ କରିଛନ୍ତି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦ୍ୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ପ୍ରମୁଖ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ହୁମ୍ମା, ପାଲଙ୍ଗ, ସାନରାମଚନ୍ଦ୍ରପୁର ଓ ରମ୍ଭା ଏନଏସି ଅଂଚଳର ମରୁଡି ଉପୁଜିଥିବା ବିଭିନ୍ନ ଚାଷଜମି ବୁଲି ଦେଖିବା ସହ ସେହି ଅଞ୍ଚଳର ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ଜଳସେଚନ ବ୍ୟବସ୍ଥା ଉପରେ ଏହି ବିଜେପି ପ୍ରତିନିଧି ଦଳ ଆଙ୍ଗୁଳି ଉଠାଇଛନ୍ତି । ସ୍ୱଳ୍ପ ବୃଷ୍ଟିପାତ ପାଇଁ ବୁହ ଚାଷଜମିରେ ଏପର୍ଯ୍ୟନ୍ତ ରୁଆ କାମ ଆରମ୍ଭ ହୋଇନାହିଁ । ଏହାସହ ବହୁ ସ୍ଥାନରେ ଧାନତଳି ପାଣି ଅଭାବରୁ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ବ୍ୟବସ୍ଥା ରହିଛି କିନ୍ତୁ ତାହା ଅକାମୀ ହୋଇ ପଡିରହିଛି । ଚାଷୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କେତେ ଦରଜ ରହିଛି ତାହା ଗଞ୍ଜାମ ଜିଲ୍ଲାରୁ ହିଁ ଅନୁଧ୍ୟାନ କରାଯାଇଛି । ଏଣୁ ରାଜ୍ୟ ସରକାର ତୁରନ୍ତ ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା କରି ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରାଯାଉ ବୋଲି ବିଜେପିର ଏହି ପ୍ରତିନିଧି ଦଳ ଦାବି କରିଛନ୍ତି । ପ୍ରତିନିଧି ଦଳ ଚାଷୀଙ୍କ ସହ ଆଲୋଚନା ବେଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରେଖା ମହାପାତ୍ର, ବିଜେପି ଜିଲ୍ଲା ସଂପାଦକ ଭୀମସେନ ବେହେରା ଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଜୟ ମୁଦୁଲିଙ୍କ ସମେତ ବହୁ ଚାଷା ଓ ଚାଷୀନେତାମାନେ ଉପସ୍ଥିତ ଥିଲେ । ଏହି ପ୍ରତିନିଧି ଦଳ ଛତ୍ରପୁର ନିର୍ବାଚନମଣ୍ଡଳୀ ସମେତ ଜିଲ୍ଲାରେ ମରୁଡି ଉପୁଜିଥିବା ବିଭିନ୍ନ ଅଂଚଳ ଗସ୍ତ କରି ରିପୋର୍ଟ ସଂଗ୍ରହ କରାଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ମରୁଡି ଘୋଷଣା ନିମନ୍ତେ ଦାବି କରାଯିବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।


