ଦାନା ବାନ୍ଧୁଛି ଆଉ ଏକ ବାତ୍ୟା !

ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର । କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହେବ । ୬/୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ । ୮/୯ ତାରିଖ ବେଳକୁ ବର୍ଷା ଓ ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି । ସେହିପରି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଚିନ୍ତାଜନକ ବିଷୟ ହେଲା- ଯଦି ପାଣିପାଗ ବିଜ୍ଞାନୀଙ୍କ ଆକଳନ ଠିକ୍ ହୁଏ ତାହେଲେ ଡିପ୍ ଡିପ୍ରେସନ୍ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ବି ଆଶଙ୍କା ରହିଛି । ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ୍ ପକ୍ଷରୁ ଜାରି ହୋଇଥିବା ଏ ଚିତ୍ରରେ ସମ୍ଭାବ୍ୟ ବାତ୍ୟା ୧୦ କିମ୍ବା ୧୧ ତାରିଖ ବେଳକୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି । ସମ୍ଭାବ୍ୟ ବାତ୍ୟା ନେଇ ଏଯାଏଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଆସନ୍ତା ସପ୍ତାହ ଶେଷ ଭାଗରେ ବର୍ଷା ସମ୍ଭାବନା ଥିବା କୁହାଯାଇଛି । ଏପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଖବର ଶୁଣିବା ପରେ ଚାଷୀ ଛାତିରେ ଛନକା ପଶିଲାଣି । କାରଣ ଏବେ ଧାନ ଅମଳର ସମୟ ବର୍ଷା ଭୟରେ କିଛି ସ୍ଥାନରେ ତରବରିଆ ଭାବେ ଚାଷୀ ବିଲରୁ ଧାନ କାଟିନେଉଛନ୍ତି । ସେପଟେ କୃଷି ବିଭାଗ କହିଛି ପାଣିପାଗ ବିଭାଗର ସୂଚନା ଆଧାରରେ ଆଡଭାଇଜାରୀ ଜାରି କରାଯିବ । ସାଧାରଣତଃ ଅକ୍ଟୋବର-ନଭେମ୍ବର ମାସରେ ଓଡ଼ିଶାରେ ବାତ୍ୟା ମାଡ଼ ହୋଇଥାଏ । କିନ୍ତୁ ଚଳିତ ବର୍ଷ ମେ ମାସରେ ବାତ୍ୟା ଫନି ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ