ପରିବାର ପରିପୋଷଣ ବୃତ୍ତିରୁ ବଂଚିତ କରିବା ପ୍ରତିବାଦରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା ସଂଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ବାଙ୍ଗୁସାହି ଗ୍ରାମର ସ୍ୱର୍ଣ୍ଣମୟୀ ମହିଳା ମଣ୍ଡଳକୁ ବିଗତ ଦୀର୍ଘ ୧୫ବର୍ଷ ଧରି ସ୍କୁଲ ୟୁନିଫର୍ମ ସିଲେଇରୁ ଉପାର୍ଜିତ ଅର୍ଥରୁ ପରିବାର ପରିପୋଷଣ କରି ଆସୁଥିବା ମହିଳାଙ୍କୁ ବଂଚିତ କରାଯିବା ଯୋଗୁଁ ଜିଲ୍ଲା ପ୍ରଶାସନର ଦ୍ୱାରାସ୍ଥ ହୋଇଥିବାର ଜଣାପଡିଛି । ଉକ୍ତ ମହିଳା ସଂଘର ସଭାପତି ଓ ସମ୍ପାଦିକାଙ୍କ ନେତୃତ୍ୱରେ ମହିଳା ସଂଘର ସଦସ୍ୟାମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଗତ ୧୫ବର୍ଷ ହେଲା ଆମ୍ଭ ସ୍ୱର୍ଣ୍ଣମୟୀ ମହିଳା ସଂଘ ତରଫରୁ ମୁକୁନ୍ଦପୁର ଠାରେ ଥିବା ମଙ୍ଗଳ ବିଭାଗ ଅଧିନରେ ଥିବା ଆଶ୍ରମ ବିଦ୍ୟାଳୟ ଓ ଏସ୍.କରଡାସିଂ ଗ୍ରାମର ତଦୃପ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସ୍କୁଲ ୟୁନିଫର୍ମ ସିଲେଇ ରୋଜଗାର କରିଆସୁଛୁ । ଏଥିରେ ଯାହା ଉପାର୍ଜନ ହୁଏ ତାହା ଆମ୍ଭେ ଆମ୍ଭମାନଙ୍କର ପରିବାର ଭରଣପୋଷଣ କରୁଛୁ । ଏମାନେ ଜଣାଇଛନ୍ତି ଗତ ୧୫ବର୍ଷ ଧରି ୟୁନିଫର୍ମ ସିଲେଇକୁ ନିଜର ପେଷା ଭାବେ ଗ୍ରହଣ କରି ପରିବାର ପରିପୋଷଣ କରି ଆସୁଥିଲୁ । ଆମ୍ଭେମାନେ ଅନ୍ୟ କିଛି କାର୍ଯ୍ୟ କରିବା ଶିଖି ନାହୁଁ । ବର୍ତ୍ତମାନ ହଠାତ ଆମକୁ ୟୁନିଫର୍ମ ସିଲେଇରୁ ବଂଚିତ କଲେ ଆମ୍ଭେମାନେ ପରିବାର ସହ ଜୀବନ ଜୀବୀକା ହରାଇବୁ । ତେଣୁ ଆମକୁ ଆମର ଗତ ୧୫ବର୍ଷର ବୃତ୍ତି କରିବା ପାଇଁ ପୁଣି ଅନୁମତି ଦିଆଯାଉ ବୋଲି ଏମାନେ ନିବେଦନ କରିଛନ୍ତି ।


