ପ୍ରଥମ ଥର ପାଇଁ ବାୟୋପିକରେ ଅରିନ୍ଦମ, ଟାଇଟଲ ରହିଛି “ବାବୁ ଭାଇଜାନ୍‌’

ନାୟକ ଅରିନ୍ଦମ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି । ଅର୍ଥାତ୍‌, ଫିଲ୍ମର ଟାଇଟଲ, ଭୂମିକା, ଦୃଶ୍ୟାୟନ-ଏସବୁ ତାଙ୍କ ମନକୁ ଏମିତି ପ୍ରଭାବିତ କରିଛି ତାହାକୁ ପ୍ରକାଶ କରିବାକୁ ସେ ଭାଷା ଖୋଜୁଛନ୍ତି । କେବଳ ସେତିକି ନୁହେଁ, ନିଜ ଓଲିଉଡ୍ କ୍ୟାରିୟରରେ ସେ ପ୍ରଥମ ଥର ପାଇଁ ଏକ ବାୟୋପିକରେ ଅଭିନୟ କରୁଛନ୍ତି । ସିନେମାଟିର ଟାଇଟଲ ରହିଛି “ବାବୁ ଭାଇଜାନ୍‌’, ଯାହାର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ଅରିନ୍ଦମ । ଏକ ସତ୍ୟ କଥା ତଥା ଜଣେ ବିଜନେସମ୍ୟାନଙ୍କ ଉତ୍‌ଥାନ ପତନ ଜୀବନୀ ଉପରେ ଫିଲ୍ମଟି ଆଧାରିତ । କାହାଣୀ ଅନୁସାରେ ଆମ ରାଜ୍ୟର ବାଲେଶ୍ୱର ଜିଲାର ଜଣେ ପିଲା ବାବୁ । ସେ କିପରି ନିଜର ଉଦ୍ୟମ ବଳରେ ଆଜି ନିଜକୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଗାର୍ମେଣ୍ଟ ବିଜ୍ନେସମ୍ୟାନ୍ ଭାବରେ ପରିଚିତ କରାଇପାରିଛନ୍ତି ତାହା ସିନେମାରେ ଦେଖିବାକୁ ମିଳିବ । ଏହା ଭିତରେ ଲୁଚି ରହିଛି ସେହି ପିଲାର ଅନେକ ରୋମାଞ୍ଚକର କଥା । ଯେଉଁ ହାତରେ ସେ ଅ ଆ ଲେଖିବା କଥା ସେହି ହାତରେ ସେ କପଡା କଇଁଚି ଧରି କାମରେ ଲାଗିପଡିଥିଲା । ଗରିବ ଘରେ ଜନ୍ମ, ହେଲେ ମନରେ ଆଶା ଅସୁମାରୀ । ତାହାକୁ ପୁଞ୍ଜି କରି ସେ ଚାଲିଯାଇଥିଲା ଦିଲ୍ଲୀ । ଆଉ ତା’ପରେ ସେ କିପରି ନିଜକୁ ଜଣେ ବିଜନେସମ୍ୟାନ ଭାବରେ ପରିଚିତ କରାଇପାରିଛି ତାହା ସିନେମାଟି ଦେଖିଲେ ହିଁ ଜାଣିପାରିବେ । ଖ୍ୱାଜା ଗରିବ୍ ନୱାଜ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ସହ ପ୍ରଯୋଜନା ଭାର ତୁଲାଇଛନ୍ତି ଆଗଧାଡିର ନାଟ୍ୟକାର ସନ୍ତୋଷ ନାରାୟଣ ଦାସ । ତାପସ ସରଘରିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏବଂ ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ ଏବଂ ଦେବୀଦତ୍ତ ମହାନ୍ତିଙ୍କ ରଚିତ ଗୀତଗୁଡିକୁ ସ୍ୱରରେ ସଜାଇଛନ୍ତି ମଳୟ ମିଶ୍ର । ଏଥିରେ ଅରିନ୍ଦମଙ୍କ ଅପୋଜିଟ୍‌ରେ ଅଛନ୍ତି ଚୁଲବୁଲି ଶିବାନୀ । ଏହି ଯୋଡି ବ୍ୟତୀତ ମିହିର ଦାସ, ଶ୍ରୀତମ ଦାସ, ବବି ମିଶ୍ର, ମନୋଜ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ପୁଷ୍ପା ପଣ୍ଡା, ସୋମା ହାତା, ସନ୍ତୋଷ ନାରାୟଣ ଏବଂ ତାପସ ସରଘରିଆ ଅଭିନୟ କରୁଛନ୍ତି । ଫିଲ୍ମର ଶୁଟିଂ ଶେଷ ହେବା ପରେ ପୋଷ୍ଟ ପ୍ରଡକ୍ସନ କାମ ଚାଲୁ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ