ସ୍ୱର୍ଗତ ଡା.ଧୂଳୀଶ୍ୱର ସ୍ୱାଇଁଙ୍କ ପ୍ରତିମୂର୍ତି ଉନ୍ମୋଚିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଚିକିତ୍ସକ ଡା.ଧୂଳୀଶ୍ୱର ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ପରିସରରେ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ସ୍ୱାଇଁଙ୍କର ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁ ଯୋଗ ଦେଇ ପ୍ରତିମୂର୍ତିର ଉନ୍ମୋଚନା କରିଥିଲେ । ଏହି ଅବସରରେ ସ୍ମୃତି କମିଟି ଓ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସ୍ମୃତି କମିଟିର ଉପଦେଷ୍ଠା ଡାକ୍ତର ରାଖଲ ରାଏଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ସଭାର ଆୟୋଜିନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ମୁଖ୍ୟବକ୍ତା ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ମଂଜରୀ ଦାଶ, ଇଂ ଅକ୍ଷୟ ସାହାଣୀ, ସ୍କୃତି କମିଟିର ଆବାହକ ଦୁର୍ଯୋଧନ ସାହୁ, ପ୍ରଦୀପ୍ତ ସ୍ୱାଇଁ,ଆଲୁମୋନୀ ସଂଘର ସଦସ୍ୟ ରାଜକିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ‘ମୋ କଥା’ ନାମକ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା । ଅତୀତରେ ଶିକ୍ଷକମାନେ ଛାତ୍ର ବତ୍ସଳ ଥିଲେ । ଅର୍ଥ ଅପେକ୍ଷା ନୀତି, ଆଦର୍ଶକୁ ଜୀବନର ପାଥେୟ ଭାବେ ଗ୍ରହଣ କରି ଶିକ୍ଷାଦାନ କରୁଥିଲେ । ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ଦେଶ,ବିଦେଶରେ ବିଭିନ୍ନ ପ୍ରାଶାସନିକ ସ୍ତରରେ ସୁନାମ ଅର୍ଜ୍ଜନ କରିପାରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଧୂଳ ସାରଙ୍କ ପରି ଜଣେ ଆଦର୍ଶ ଶିକ୍ଷକଙ୍କର ପଥାନୁସରଣ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଉକ୍ରଳ କିଶୋରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଭା ସ୍ୱାମୀ ଧନ୍ୟବାଦ ପ୍ରଦାନ କରିଥିଲେ ।


