ରାସ୍ତାକୁ ଓହ୍ଲାଇ ୩୦୦ ଆଫଗାନ ମହିଳା, ଏଥରକ ତାଲିବାନ ସପକ୍ଷରେ ରାଲି
କାବୁଲ: ତାଲିବାନକୁ ସର୍ବଦା ବିରୋଧ କରୁଥିବା ମହିଳା ଏବେ ତାଲିବାନୀଙ୍କ ସମର୍ଥନରେ ବାହାରିଛନ୍ତି। ପାଖାପାଖି ୩ଶହରୁ ଅଧିକ ଆଫଗାନ ମହିଳା ତାଲିବାନ ସରକାରଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ବୁର୍ଖା ପିନ୍ଧି ସେମାନେ କରିଛନ୍ତି ରାଲି। ଶନିବାର କାବୁଲରେ ଦେଖିବାକୁ ମିଳିଥିଲା ଏଭଳି କିଛି ଚିତ୍ର। ଗତ କିଛିଦିନ ହେବ ଆଫଗାନିସ୍ତାନର ମହିଳାମାନେ ତାଲିବାନ ବିରୋଧରେ ଲଗାତର ବିରୋଧ ପ୍ରଦର୍ଶନ କରୁଥିଲେ । କିନ୍ତୁ ଶନିବାର ଏହାର ପୂରାପୁରି ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ମହିଳାମାନେ ହାତରେ ପ୍ଲାକାର୍ଡ ଧରି ତାଲିବାନ ସମର୍ଥନରେ ରାସ୍ତା ଉପରେ ବାହାରି ଶୋଭାଯାତ୍ରା କରିଥିଲେ। ମୁଣ୍ଡରୁ ଗୋଡ ଯାଏଁ କଳା ରଙ୍ଗର ବୁର୍ଖା ପିନ୍ଧି ସେମାନେ ଏହି ରାଲିରେ ସାମିଲ ହୋଇଥିଲେ। ତଲିବାନର ସମର୍ଥନରେ ବାହାରିଥିବା ମହିଳାମାନେ କହିଥିଲେ, ଦେଶ ଛାଡି ପଳାୟନ କରିଥିବା ମହିଳା ସେମାନଙ୍କ ପ୍ରତିନିଧି ନଥିଲେ। ଜଣେ ମହିଳା ବକ୍ତା କହିଥିଲେ, ‘ସେ ସେହି ମହିଳାଙ୍କ ବିରୋଧରେ ତାଲିବାନ ପାଇଁ ରାଲି କରିଛନ୍ତି ଯେଉଁମାନେ ଦେଶ ଛାଡି ପଳାୟନ କରିଛନ୍ତି। ପୂର୍ବ ସରକାର ମହିଳାଙ୍କ ସୁନ୍ଦର ଚେହେରା ଦେଖି ଚାକିରୀ ଦେଇଥିଲେ। ଏବେ କିନ୍ତୁ ସେ ସବୁ ନାହିଁ।’ସୂଚନାଯୋଗ୍ୟ, ଉକ୍ତ ରାଲିରେ ଥିବା ନାରୀମାନେ ଛାତ୍ରୀ ବୋଲି ଆୟୋଜକମାନେ କହିଛନ୍ତି। ଏହି ଶୋଭାଯାତ୍ରାରେ ଅନେତ ତାଲିବାନୀ ଆତଙ୍କବାଦୀ ବନ୍ଧୁକ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ତାଲିବାନର ନୂଆ ଚାଲ୍ କିମ୍ବା ମହିଳାଙ୍କୁ ଭୟଭୀତ କରି ଏପରି କରାଯାଇଥିବା କୁହାଯାଉଛି।


