ବର୍ଷାରେ ଭାଙ୍ଗିଲା ଛପର ଘର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକରେ ଗତ ତିନିଚାରି ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାବେଳେ ଅନେକ ଚାଷଜମି, ଯାତାୟତ ରାସ୍ତା, ପଶୁପକ୍ଷୀ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏପରିକି ବର୍ଷା ତାଣ୍ଡବ ଯୋଗୁ ଅନେକ ସ୍ଥାନରେ କଚ୍ଚା ବାସଗୃହ ମାଟିରେ ଲୋଟି ପଡିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବ୍ଲକ ଅଧିନ ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ବିଜୟ ନାୟକଙ୍କ କଚ୍ଚା ଘର ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପରିବାର ଲୋକେ ଏବେ ଚଳିବା ପାଇଁ ଭାରି କଷ୍ଟକର ହୋଇପଡିଛି । ଏପରିକି ରୋଷେଇ ବାସ କରିବା ସମ୍ଭବ ହୋଇପାରିନାହିଁ । ସେହିଭଳି ମାଳଦା ଗ୍ରାମର ଅଶୋକ କୁମାର ଦାସଙ୍କ କଚ୍ଚା ଘରର ମାଟିକାନ୍ଥ ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି । ଅନୁରୂପ ଭାବେ ବଡନପଙ୍ଗ ଗ୍ରାମର ରଶ୍ମିଲତା ନାୟକଙ୍କ ବାସଗୃହ ସମେତ ଗୁହାଳ ଓ ରୋଷେଇ ଘର ଭାଙ୍ଗିଯାଇଥିବା ଜଣାପଡିଛି । ଏହାଛଡା ସରସଦା ପଞ୍ଚାୟତ ପିରିପୁର ଗ୍ରାମରେ ୬୦ ଦଳିତ ପରିବାର ଜଳବନ୍ଦୀରେ ଥିବାବେଳେ ସେମାନଙ୍କ ବାସଗୃହ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ଦିଆଯାଇଛି । ବର୍ଷା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନ ନିକଟରେ ଦାବି ହୋଇଛି ।


