ଖାଇବାକୁ ନଦେବାରୁ ହଷ୍ଟେଲ ଛାଡିଲେ ୧୪ ଛାତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବାରମ୍ୱାର ହଷ୍ଟେଲ ଗୁଡିକରେ ଅବ୍ୟବବସ୍ଥ । ନେଇ ଛାତ୍ର/ଛାତ୍ରୀମାନେ ହଷ୍ଟେଲ ଛାଡୁଛନ୍ତି । ଛାତ୍ର/ଛାତ୍ରୀ ହଷ୍ଟେଲ ଛାଡିବା ପଛରେ କାହାର ଭୂମିକା ରହୁଛି ପ୍ରଶାସନ ଧରି ପାରୁନି । ଠିକ ସେହିଭଳି ସ୍ଥାନୀୟ ବ୍ଳକର ଦୁର୍ଗମ ଅଞ୍ଚଳ କଟାମାରେ ରହିଥିବା ସରକାରୀ ଉଚ୍ଚବିଦ୍ୟାଳୟରେ ବିଭିନ୍ନ ସମୟରେ ଅବ୍ୟବସ୍ଥାକୁ ନେଇ ତାଲା ପକାଇବା ସହ ରାସ୍ତାରୋକ ମଧ୍ୟ ହୋଇସାରିଛି । ଏବେ ପୁଣି ହଷ୍ଟେଲ ଦାୟିତ୍ୱରେ ରହିଥିବା ପ୍ରଧାନଶିକ୍ଷକ ଦେବରଞ୍ଜନ ସୁଆଳ ସିଂ ଶନିବାର ଦିନ ହଷ୍ଟେଲରେ ରହୁଥିବା ୨୦ ଜଣ ଛାତ୍ରଙ୍କୁ ଖାଦ୍ୟ ନ ଯୋଗାଇ କେଉଁ ଆଡ଼େ ଚାଲିଯାଇଥିଲେ । ଯାହା ଫଳରେ ରୋଷେଇ ହୋଇନ ପାରିବାରୁ ସେମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଭୋକ ସମ୍ଭାଳି ନ ପାରି ହଷ୍ଟେଲ ଛାଡି କେଉଁ ଆଡ଼େ ଚାଲିଯାଇଥିଲେ । ଏପରିକି ଶନିବାର ଦିନ ବିଦ୍ୟାଳୟରେ ଛାତ୍ର ଏବଂ ପ୍ରଧାନଶିକ୍ଷକ ଉପସ୍ଥିତ ନଥିଲେ । କିଭଳି ୧୪ ଜଣ ଛାତ୍ର ହଷ୍ଟେଲ ଛାଡିଥିବା ଘଟଣା ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଅଧିକାରୀ ଜାଣିପାରିଲେ ନାହିଁ କି ବ୍ଲକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ମଧ୍ୟ ଜାଣିପାରିଲେନି ନା ସମସ୍ତେ ଜାଣିଶୁଣି ଚୁପ ରହିଥିଲେ ତାହା ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ।ହଷ୍ଟେଲରୁ ଛାତ୍ର ନିଖୋଜ ହେବାର ୨୪ ଘଣ୍ଟା ପରେ ପ୍ରଧାନ ଶିକ୍ଷକ ନିଜ ପରିବାର ଲୋକଙ୍କ ସହ ବିଦ୍ୟାଳୟରେ ପହଞ୍ଚି ଛାତ୍ରମାନଙ୍କୁ ଖୋଜାଖୋଜି କରି ସେମାନଙ୍କ ମଧ୍ୟରୁ ୭ଜଣ ଛାତ୍ରଙ୍କୁ ସେମାନଙ୍କ ଘରେ ପାଇ ହଷ୍ଟେଲକୁ ବୁଝାସୁଝା କରି ଆଣିଥିଲେ । ଛାତ୍ରମାନଙ୍କୁ ହଷ୍ଟେଲ ଛାଡିବା ସମ୍ପର୍କରେ ପଚାରିବାରୁ ସେମାନେ କହିଛନ୍ତି ପ୍ରଧାନ ଶିକ୍ଷକ ଶ୍ରୀଦେବରଞ୍ଜନ ଆମକୁ ଭଲ ଭାବେ ଖାଦ୍ୟ ନ ଦେଇ ନିମ୍ନମାନର ଖାଦ୍ୟ ହେଉଛନ୍ତି ଏବଂ ରାତିରେ ହଷ୍ଟେଲରେ ନ ରହି ନିଜ ଘରେ ରହୁଛନ୍ତି । ଆମର ସୁବିଧା ଅସୁବିଧା କିଛି ବୁଝୁନାହାନ୍ତି । ହଷ୍ଟେଲ ଗୃହ ନ ଥିବାରୁ ପରିତ୍ୟକ୍ତ କୋଠରୀରେ ଆମକୁ ରହିବାକୁ ପଡୁଛି । କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ । ଏ ବିଷୟରେ ରୋଷେୟା ପୂର୍ଣ୍ଣକୁମୁଟି ମାଝୀ କହିଛନ୍ତି ଅନେକ ସମୟରେ ଖାଦ୍ୟ ସାମଗ୍ରୀ ନ ଥିବାରୁ ଏବିଷୟରେ ପ୍ରଧାନଶିକ୍ଷବଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା କହିଛନ୍ତି । ଅପରପକ୍ଷେ ରୋଷେଇ ହୋଇଥିବା ଖାଲି ଭାତ ହଷ୍ଟେଲ ପରିସରରେ ପଡିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟକୁ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି କରାଯାଇଥିବା ବେଳେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ପ୍ରଧାନଶିକ୍ଷକ ଶ୍ରୀ ସୁଆଳ ସିଂ । ଛାତ୍ରମାନେ ଖାଦ୍ୟ ନ ପାଇ ହଷ୍ଟେଲ ଛାଡିବା ଘଟଣା ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ପାଖରେ ପିଲା ହଷ୍ଟେଲ ଛାଡିବା ଖବର ଏବଂ ନିମ୍ନମାନର ଖାଦ୍ୟ ଦିଆଯାଉ ଥିବା ମୁଁ ଏବେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିଲି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ମୁଁ ମିଳିତ ଭାବେ ସେଠାକୁ ଯାଇ ତଦନ୍ତ କରି ଦୃଢ କାର୍ଯ୍ୟାନ୍ତଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


