ଆମ ଅଧିକାର ଓ ସି.ବି.ଟି.ୟୁ.ର ଶତାଧିକ କର୍ମୀ ଗିରଫ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦ ସମର୍ଥନରେ ପିକେଟିଂ କରି ଆମ ଅଧିକାର ଓ ସି.ବି.ଟି.ୟୁ. ଶ୍ରମିକ ସଂଗଠନର ନେତା ଓ କର୍ମୀମାନେ ଆଜି ଗିରଫ ହୋଇଥିଲେ । ଦିନ ୯ ଘଟିକାରୁ ଉଭୟ ସଂଗଠନର ନେତା ଓ କର୍ମୀମାନେ ରାଜମହଲ ଛକରେ ରାସ୍ତାରୋକ କରି ବନ୍ଦ ସମର୍ଥନରେ ଜନସାଧାରଣଙ୍କୁ ସଚେତନ ଓ ଅବଗତ କରାଇଥିଲେ । ପରେ ଆମ ଅଧିକାରର ଆବାହକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସି.ବି.ଟି.ୟୁ.ର ମୁଖ୍ୟ ନବକିଶୋର ମହାନ୍ତି, ବିକ୍ରମ ନାୟକ, ପାର୍ଥସାରଥୀ ଜେନା, ସଞ୍ଜୟ ପରିଡ଼ା, ନଳିନୀକାନ୍ତ ନାୟକ, ବିଭୂତି ଭୂଷଣ ମହାପାତ୍ର, ବିଶ୍ୱଭୂଷଣ ମହାପାତ୍ର ଏବଂ ପ୍ରଗତିଶୀଳ ଶ୍ରମିକ ମଞ୍ଚର ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ଏଜି ଛକରେ ପହଂଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ କର୍ମୀମାନେ ପୋଲିସ୍ ଅବରୋଧ ଭାଙ୍ଗି ସଚିବାଳୟ ମାର୍ଗକୁ ଯିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ପକ୍ଷରୁ ସେମାନଙ୍କ ଗିରଫ କରାଯାଇଥିଲା । କୃଷକ ବିରୋଧୀ କଳା କୃଷି ଆଇନ୍ ଓ ଶ୍ରମିକ ବିରୋଧୀ ନୂଆ ଶ୍ରମ ଆଇନ ସଂଶୋଧନ ବାତିଲ୍ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନ ଗୁଡ଼ିକ ପକ୍ଷରୁ କୁହାଯାଇଛି ।


