ସଡ଼କ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଗୁରୁତର ଆହତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସୋମବାର ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି । ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗ୍ରାମପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ସାମନା ପଟୁ ଏକ ବାଇକ ଆସି ପିଟି ଦେଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ସୂଚନା ମୁତାବକ, ପ୍ରତ୍ୟେକ ସୋମବାର ଭଳି ବିଧାୟକ ଆଜି ମଧ୍ୟ ନିଜ ଗ୍ରାମ ପକାରୀ ଠାରୁ ଏକ କିଲୋମିଟର ଦୂର ବ୍ରୁଡିପଡାରେ ଥିବା କାମନା ମନ୍ଦିରକୁ ଦର୍ଶନ ପାଇଁ ଏକ ବାଇକରେ ଯାଉଥିଲେ । ରାସ୍ତାରେ ସାମନା ପଟୁ ଅନ୍ୟ ଏକ ବାଇକରେ ଦ୍ରୁତ ଗତିରେ ଆସୁଥିବା ଦୁଇଜଣ ଯୁବକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ବିଧାୟକ ଗାଡିରୁ ଛିଟିକି ପଡିଥିଲେ । ପାଖରେ ଥିବା ଗ୍ରାମବାସୀ ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ନେଇ ଥିଲେ । ସ୍ଥାନୀୟ ଆଶାକର୍ମୀ ସୀତା ସାହୁ ଘରେ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ ଓ ଗ୍ରାମବାସୀ ଅଜୟ ସାହୁ ବିଧାୟକଙ୍କୁ ଫୁଲବାଣୀ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଗୋଡରେ ମଧ୍ୟ ଆଘାତ ଲାଗିଛି । ତେବେ ତାଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଯୁବକମାନେ ମଧ୍ୟ ଏଥିରେ ଆହତ ହୋଇଛନ୍ତି ।


