ଅବସରପ୍ରାପ୍ତ ସମବାୟ କର୍ମଚାରୀଙ୍କ ପକ୍ଷରୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ)ରୁ ପେନସନ ପାଉଥିବା କେନ୍ଦ୍ର ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ମାସିକ ସର୍ବନିମ୍ନ ୯ହଜାର ଟଙ୍କା ପେନସନ ସହ ମହଙ୍ଗାଭତ୍ତା, ଉଚ୍ଚ ହାରରେ ବେତନ ପାଇଥିବା କର୍ମଚାରୀଙ୍କୁ ବେତନ ହାରରେ ଅଧିକ ପେନସନ ଓ ସରକାରଙ୍କ ସ୍ୱାସ୍ଥ୍ୟବୀମାଭୁକ୍ତ କରିବା ପାଇଁ ଦାବି କରାଯାଇଛି । ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଅବସର ନେବାପରେ ବହୁ କର୍ମଚାରୀ ମାସିକ ଏକ ହଜାର ଟଙ୍କାରୁ କମ୍ ପରିମାଣର ପେନସନ ପାଉଥିବା ସଂପର୍କରେ ସେମାନେ ଅଭିଯୋଗ କରିଛନ୍ତି । ବ୍ୟାଙ୍କରୁ ଅବସର ନେବା ପରେ ବହୁ ବରିଷ୍ଠ ନାଗରିକ ଜରାରୋଗରେ ପିଡ଼ିତ ହୋଇ ଆର୍ଥିକ ଅନାଟନରୁ ଚିକିତ୍ସିତ ହୋଇପାରୁ ନଥିବାରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଏନେଇ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ଇପିଏଫ୍ ପେନସନର୍ସ ଆସୋସିଏସନର ଜିଲା ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି, ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଅଭିରାମ ମହାନ୍ତି, ବ୍ରଜମୋହନ କର, ହରିଶ୍ଚନ୍ଦ୍ର ସାହୁ ଓ ରବୀନ୍ଦ୍ର ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଦାବିପତ୍ର ପ୍ରଦାନପରେ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ଗୃହରେ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।


