ଜିଲା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୁଲିସ ବେଆଇନ ଗିରଫ କରିବା ଓ ଅଟକ ରଖିବା ପ୍ରତିବାଦରେ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ଜିଲା ସଭାପତି ଗୌତମ ଦାସଙ୍କ ସମେତ ଦେବଦତ୍ତ ଦାସ, ଗୋପୀନାଥ ପାଢ଼ୀ ଓ ବହୁ ଛାମୁଆ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ସହରର ଷ୍ଟେସନ ଛକଠାରୁ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଫାଣ୍ଡିଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ବିଜେପି ନେତାଙ୍କ ଦମନ ଲୀଳା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜିଲା କଂଗ୍ରେସ ସଭାପତି ଶ୍ରୀ ଗିରି କହିଥିଲେ । ମୃତ ଚାଷୀ ପରିବାରଙ୍କୁ ସାକ୍ଷାତ ପାଇଁ ଯାଉଥିବା ବେଳେ ଅଗଣତାନ୍ତ୍ରିକ ଭାବେ ଏଆଇସିସି ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୁଲିସ ଗିରଫ ସହ ଅଟକ ରଖିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସେ ପ୍ରକାଶ କରିଥିଲେ । ଦେଶବ୍ୟାପୀ ଏହାର ବିରୋଧ କରାଯାଉଥିବା ବେଳେ ବାଲେଶ୍ୱର ଜିଲା କଂଗ୍ରେସ ମଧ୍ୟ ଏଥିରେ ସାମିଲ ହୋଇଥିବା ଶ୍ରୀ ଗିରି କହିଥିଲେ । ଏହି ଅବସରରେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ