ସାହିତ୍ୟ ପତ୍ରିକା ‘ସାଗରିକା’ର ଶାରଦୀୟ ସଂଖ୍ୟା ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା):ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ‘ସାଗରିକା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, କବି ପ୍ରଶାନ୍ତ ଦାସ, ଅଧ୍ୟାପକ ତପନ କୁମାର ବେହେରା, ‘ସମାଜ’ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲିକ, ସମାଜସେବୀ ଅଞ୍ଜଳି ପଣ୍ଡା, ଆଇନଜୀବୀ ବେଣୁଧର ରାଉଳ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ‘ସାଗରିକା’ ପୂଜାସଂଖ୍ୟାକୁ ଉନ୍ମୋଚନ କରିଥିଲେ । ପତ୍ରିକାର ସମ୍ପାଦନା ଶୈଳୀ ଓ ପ୍ରକାଶିତ ସାହିତ୍ୟ, କବିତା ଓ ଗଳ୍ପଗୁଡ଼ିକ ବେଶ ଶିକ୍ଷଣୀୟ ଋଚିସମ୍ପନ୍ନ ହୋଇଥିବା ଅତିଥିମାନେ କହିଥିଲେ । ଏଥିରେ ସ୍ଥାନୀତ ପ୍ରତିଟି ଉଚ୍ଚକୋଟିର ବିଷୟ ପାଠକଙ୍କ ମନକୁ ଛୁଇଁବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଓଡ଼ିଆ ଖବରକାଗଜ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏହି ଉନ୍ମାଚନ ଉତ୍ସବରେ ସଭାପତିତ୍ୱ କରିଥିଲେ । ପ୍ରଦୀପ୍ତ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହର ସ୍ୱନାମଧନ୍ୟ କବି ସାହିତ୍ୟିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ।


