ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି । ରବିବାର ଠାରୁ ସହରରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ସୋମବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି । ଏହି ଫ୍ଲାଗମାର୍ଚ୍ଚରେ ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ଥିଲେ । କେନ୍ଦ୍ରାପଡ଼ାକୁ ଗଜଲକ୍ଷ୍ମୀ ପୂଜା ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ଆସିଥିବା ସୂଚନା ମିଳିଛି । ଦୁଇଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରିଶ ଚନ୍ଦ୍ର ପାଣ୍ଡେ, ଇନ୍ଦ୍ରମଣି ବେହେରା ପୋଲିସ ଫୋର୍ସ ସହ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର ଆଇନ୍ଶୃଙ୍ଖଳା ପରିସ୍ଥିତିର ତଦାରଖ କରୁଛନ୍ତି । ଗଜଲକ୍ଷ୍ମୀ ପୂଜା ପାଇଁ ସହରରେ ୮ଜଣ ଉପଆରକ୍ଷୀ ଅଧିକ୍ଷକ, ୨୫ ଜଣ ଆରକ୍ଷୀ ନୀରିକ୍ଷକ, ୨ଶହ ପୋଲିସ କନେଷ୍ଟବଳ, ୨୨ ଜଣ ଉପଆରକ୍ଷୀ ନୀରିକ୍ଷକ, ୩୦ଜଣ ସହକାରୀ ଉପ ଆରକ୍ଷୀ ନୀରିକ୍ଷକ, ୨ପ୍ଲାଟୁନ ର୍ୟାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ସେହିପରି ରିଜର୍ଭ ଇନ୍ସପେକ୍ଟର ହେମନ୍ତ କୁମାର ଦାସ ପୋଲିସ ବଳକୁ ପରିଚାଳନା କରୁଛନ୍ତି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନମାନଙ୍କରେ ପୋଲିସ ଫୋର୍ସ ପଇଁତରା ମାରୁଛନ୍ତି । ପ୍ରତି ପୂଜା ମଣ୍ଡପ ନିକଟରେ ପୋଲିସ ଫୋର୍ସ ମେଢକୁ ଜଗି ରହିଛନ୍ତି । କେନ୍ଦ୍ରାପଡା ସହରରେ ଶାନ୍ତି ଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା ସମାପନ ପାଇଁ ଆମେ ପ୍ରୟାସ କରୁଛୁ ବୋଲି କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି ।


