କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଙ୍ଘର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା କଳା ସଂସ୍କୃତି ସଙ୍ଘର ଏକ ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଙ୍ଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଲୋକକଳା ସଙ୍ଘର ଦୃଢୀକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଲୋକକଳାର ପ୍ରଚାର ପ୍ରସାର ତଥା ଓଡିଆ ଜନମାନସରେ ଉଜ୍ଜୀବିତ ରଖିବା ନିମନ୍ତେ ଜିଲ୍ଲା ଲୋକକଳା ସଙ୍ଘ ଓ କଳାକାରମାନଙ୍କ ଉନ୍ନତି କରିବା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇବା ସହ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଚଳିତ ନଭେମ୍ବରମାସରେ କଳାକାରମାନଙ୍କ ଦୁଇ ଦିନିଆ ତାଲିମ ଶିବିର “ଆମ ଲୋକକଳା ଆମ ସଂସ୍କୃତି” ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି, ବ୍ଲକ ଓ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଲୋକକଳା ଗ୍ରାମର ଦୃଢୀକରଣ ପାଇଁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନଭେମ୍ବରମାସରେ ଲୋକକଳାରେ ଆଦର୍ଶ ଜିଲ୍ଲା ଢେଙ୍କାନାଳ ଜିଲ୍ଲାକୁ ଅନ୍ୟ ଜିଲ୍ଲାର ଉପସଭାପତିମାନେ ପରିଦର୍ଶନରେ ଯାଇ ସଙ୍ଘର ସୁପରିଚାଳନା, କାର୍ଯ୍ୟଦକ୍ଷତା ଓ ଯୋଗାଯୋଗ ପଦ୍ଧତି ଉପରେ ଶିକ୍ଷା ଲାଭକରି ନିଜ ଜିଲ୍ଲାରେ ପ୍ରୟୋଗ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ଉପସଭାପତି ଯୋଗଦେଇଥିବା ବେଳେ କେତେକ କଳାକାର ମଧ୍ୟ ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତନ୍ମୟ କୁମାର ଜେନା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପସଭାପତି ଗଗନ ବିହାରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଉପସଭାପତି ଓ କଳାକାରମାନଙ୍କୁ ଲୋକକଳା ସଙ୍ଘର ପରିଚାଳନା ଓ ସାଂଗଠନିକ କାର୍ଯ୍ୟଦକ୍ଷତା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ