ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଷଷ୍ଠ ପୁରାତନ ଛାତ୍ର ସମ୍ମିଳନୀ ଆୟୋଜିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗ ଶିକ୍ଷାକେନ୍ଦ୍ରର ଷଷ୍ଠତମ ପୁରାତନ ଛାତ୍ର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ଗୌରହରି ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗଦେଇ ପୂରାତନ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ନିଜର ଉଦ୍ବୋଧନ ଦେଇଥିଲେ । ଅନ୍ୟତମ ଅତିଥିଭାବେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଅନୁଷ୍ଠାନର ପୂର୍ବତନ ଶିକ୍ଷକ ରାମ ନାରାୟଣ ପାତ୍ର ପଣ୍ଡିଚେରୀରୁ ଆନଲାଇନ୍ ମାଧ୍ୟମରେ ପ୍ରେରଣା ଦାୟକ ଉଦ୍ବୋଦନ ଦେଇଥିଲେ । ଏହା ପରେ ପୂର୍ବତନ ଛାତ୍ରଛାତ୍ରୀମାନେ ନିଜର ପୁରୁଣା ଅନୁଭୂତି କହିଥିଲେ । ବିଭିନ୍ନ ପ୍ରତିଯୋଗୀତାପରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା । ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିଜର ହୃଦୟର କଥା କହିଥିଲେ । ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ଲିଖିତ ହାତଲେଖା ପତ୍ରିକା “ଅର୍ପଣ”ର ଉନ୍ମଚନ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଅରବିନ୍ଦ ଦାସ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଦେଇଥିଲେ । ଆଲୋଚନାକୁ ଅନୁଶ୍ରି ପଟ୍ଟନାୟକ ଓ ଅଞ୍ଜନା ପଟ୍ଟାନୟକ ସଂଯୋଜନା କରିଥିବା ବେଳେ ଶେଷ ସ୍ପର୍ଶ ସହ ଆଗାମୀ ଦିନରେ ଅନୁଷ୍ଠାନ ସକ୍ରିୟ ପାଇଁ ଯୋଜନା ବିଷୟରେ ଆଦର୍ଶ ଦାସ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦ ସୋସାଇଟିର ସଦସ୍ୟ, ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହ ବହୁ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତଥିଲେ ।