କାଗଜ କଲମରେ ଚାଲିଛି ହାଇସ୍କୁଲ, ପରୀକ୍ଷା ଦେଉଛନ୍ତି ନକଲି ଛାତ୍ରଛାତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ଗ୍ରାମରେ ଥିବା ଗୋଠନାହାକାଣି ହାଇସ୍କୁଲଟି କାଗଜ କଲମରେ ଚାଲିଥିବାବେଳେ ନକଲି ଛାତ୍ରଛାତ୍ରୀ ମାନେ ଏଠାରେ ଶିକ୍ଷାଲାଭ କରୁଥିବା ଦର୍ଶାଇ ମାଟ୍ରିକ ପରୀକ୍ଷା ଦେଇ ସଫଳତାର ସହ ଉତ୍ତିର୍ଣ୍ଣ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ସ୍କୁଲଟି ଠିକ ଭାବେ ଚାଲୁନଥିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଓ ମିଥ୍ୟା ତଥ୍ୟ ଦେଇ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି ବୋଲି ଗ୍ରାମର ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରକ୍ରମେ ୨୦୧୮ ଡିସେମ୍ବର ମାସରେ ତତ୍‌କାଳୀନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି ଓ ତତ୍‌କାଳୀନ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ତତ୍‌କାଳୀନ ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାଶ ପ୍ରମୁଖ ଉକ୍ତ ସ୍କୁଲ ପରିଦର୍ଶନ କରିବାକୁ ଯାଇଥିବାବେଳେ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ । ସ୍କୁଲ ଘର ଭାଙ୍ଗିରୁଜି ଯାଇ ପରିତ୍ୟକ୍ତ ଅବସ୍ଥାେ ପଡିଥିବା ଦେଖିଥିଲେ । ଫଳରେ ସ୍ଥାନୀୟ ଗ୍ରାମବାସୀ ଓ ଗାଁର କିଛି ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଡାକି ଏହି ସ୍କୁଲ ସମ୍ପର୍କରେ ପଚାରି ବୁଝିଥିଲେ । ଏପରିକି ସେହିବର୍ଷ ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଫର୍ମ ପୁରଣ କରିଥିଲେ । ୨୬ଜଣ ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ଆସିଥିଲା । କିନ୍ତୁ ସେମାନେ ନକଲି ପରୀକ୍ଷାର୍ôଥ ବୋଲି ଜଣାପଡିଯିବାରୁ ଆଡମିଟ କାର୍ଡ ଗୁଡିକୁ ଜବଦ କରାଯାଇଥିଲା । ଯାହାଦ୍ୱାରାକି କେହି ଜଣେକି ହେଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୦/୨୧ ବର୍ଷରେ ପୁନର୍ବାର ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଠାରେ ପଢ଼ୁଥିବା ଦର୍ଶାଇ ଗତବର୍ଷ ମାଟ୍ରିକ ପାସ କରିଥିବାବେଳେ ଏବେ ପୁଣି ୨୦୨୧/୨୨ରେ ଦଶମରେ ୪୩ଜଣ ଓ ନବମରେ ୫୭ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ମିଥ୍ୟା ଏନରୋଲମେଣ୍ଟ କରାଯାଇଛି । ୨୦୧୯ରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ ତଦନ୍ତ କରିବାପରେ କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗ୍ରାମର ବାଇଧର ଖଣ୍ଡେଇ ନାମକ ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବାପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତାଙ୍କୁ ତଥ୍ୟ ଦିଆଯାଇଛି । ଯେଉଁଥିରେ କି ଶିକ୍ଷା ବିଭାଗର ନିର୍ଦ୍ଦେଶକ ସ୍କୁଲ ପରିଦର୍ଶନ ସମୟରେ ଯେଉଁ ତଦନ୍ତ କରିଥିଲେ ତାହାର ରିପୋର୍ଟ ଏଠାରେ ଉପଲବ୍ôଧ ନଥିବା ଓ ସ୍କୁଲ ପରିଦର୍ଶନ ସମୟରେ ସ୍କୁଲ ବନ୍ଦଥିବା ଓ ଏନେଇ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ରିପୋର୍ଟ ମଗାଯାଇଥିବା ଉଲେଖ କରାଯାଇଛି । ୧୯/୮/୨୦୨୧ ସୁଧା ସ୍କୁଲ କର୍ତ୍ତୁପକ୍ଷ କୌଣସି ଉତ୍ତର ଦେଇ ନଥିବା ମଧ୍ୟ ଉଲେଖ କରିଛନ୍ତି । ଏନେଇ ଆବେଦନକାରୀ ବାଇଧର ଖଣ୍ଡେଇ କହିଛନ୍ତି ଯେ ସ୍କୁଲଟି ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ସ୍କୁଲର ଶ୍ରେଣୀଗୃହ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଦୀର୍ଘବର୍ଷ ହେଲା ସ୍କୁଲରେ କୌଣସି ଛାତ୍ରଛାତ୍ରୀ ପଢ଼ୁନଥିବାବେଳେ ଶିକ୍ଷକମାନେ ସ୍କୁଲ ମଧ୍ୟ ଆସୁନାହାନ୍ତି, ଏପରିସ୍ଥଳେ ମିଥ୍ୟା ଏନରୋଲମେଣ୍ଟ ପ୍ରସ୍ତୁତ କରାଯାଇ ଅନେକ ନକଲି ପିଲାମାନେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେବି ଶିକ୍ଷା ବିଭାଗ ଓ ବୋର୍ଡ କର୍ତ୍ତୁପକ୍ଷ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଶ୍ରୀ ଖଣ୍ଡେଇ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ